କଟକ : ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଚୌଦ୍ୱାର ଜେଲରୁ କଏଦୀ ଫେରାର୍ ହେବା ଘଟଣାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କର ନିୟମିତ ଜାମିନ ଆବେଦନ ନାମଞ୍ଜୁର ହୋଇଛି।
ସୂଚନା ଅନୁଯାୟୀ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନକୁ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରି ଦେଇଛନ୍ତି । ପୂର୍ବରୁ ସୁଜିତ କୁମାର ରାଉଳଙ୍କୁ ନିଲମ୍ୱନ କରାଯାଇଛି । ଏବେ ଜେଏମ୍ଏଫ୍ସି ଅଦାଲତରେ ଜାମିନ ଖାରଜ ହେବା ପରେ ସୁଜିତ ରାଉଳ ନିୟମିତ ଜାମିନ ପାଇଁ ଦୌରାଜଜ୍ ଅଦାଲତରେ ଆବେଦନ କରିଥିଲେ। ପୂର୍ବରୁ ତାଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ ।
ସୂଚନା ଥାଉକି ଚୌଦ୍ୱାର ସର୍କଲ୍ ଜେଲ୍ର ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ଜାଲିଆତି ଓ ହେର୍ଫେର୍ ଅଭିଯୋଗରେ ସୁଜିତ ରାଉଳ ଗିରଫ ହୋଇଥିଲେ । ୨୦୨୫ ଅକ୍ଟୋବର ୨ରେ ଚୌଦ୍ୱାର ଜେଲ୍ର ଦୁଇ ଜଣ ବିହାରୀ ବିଚାରାଧୀନ କଏଦୀ ଫେରାର ହୋଇଥିଲେ । ଏହାପରେ ଦାୟିତ୍ୱ ଏଡ଼ାଇବା ଉଦ୍ଦେଶ୍ୟରେ ଜେଲ୍ର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟର, ଅଧୀକ୍ଷକଙ୍କ ମିନିଟ୍ ବୁକ୍ ଏବଂ ଅନ୍ୟାନ୍ୟ ରେକର୍ଡରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ତତ୍କାଳୀନ ଜେଲର୍ଙ୍କ ଦସ୍ତଖତ ଜାଲ୍ କରାଯାଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ସୁଜିତ ରାଉଳଙ୍କ ସଂପୃକ୍ତି ଥିବା ପ୍ରମାଣ ଦର୍ଶାଇ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।