ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ନାଇଟ୍ କ୍ଲବ୍ ଓ ବାର୍ ଉପରେ କମିଶନରେଟ ପୋଲିସ ଚଢ଼ାଉ କରିଛି । ସବୁ ନିୟମ କାନୁନ୍କୁ ଫୁ କରି ବିଳମ୍ବିତ ରାତି ଯାଏ ଚାଲୁଥିଲା ନାଇଟ୍ କ୍ଲବ୍ ଓ ବାର୍ ଓ ଲାଉଡ୍ ମ୍ୟୁଜିକ୍ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍ଗୁଲ୍ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍।
ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ଶବ୍ଦ ପ୍ରଦୂଷଣ ସୀମା ସହ ଅନେକ ଅବକାରୀ ନିୟମକୁ ବାର୍ ମାଲିକ ମାନେ ଉଲ୍ଲଂଘନ କରୁଥିବା ଜଣାପଡ଼ିଛି । ତେବେ ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଧୀନରେ ଥିବା ନାଇଟ୍ କ୍ଲବ୍ ଓ ବାର୍ ଉପରେ ଚଢ଼ାଉ ବେଳେ ଏହି ନିୟମ ଉଲ୍ଲଂଘନ ହେଉଥିବା ସାମ୍ନାକୁ ଆସିଛି। ସେଫ୍ ସିଟି ଡ୍ରାଇଭ ଅଭିଯାନରେ ୩ ପ୍ଲାଟୁନ ପୋଲିସ ସହ ସ୍ପେଶାଲ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ନାଇଟ୍ କ୍ଲବ୍ ଓ ବାର୍ରେ ସବୁ ନିୟମ କାନୁନକୁ ଫୁ କରି ବିଳମ୍ବିତ ରାତି ଯାଏ ନାଚଗୀତ ଚାଲିଥିବା ଜଣାପଡ଼ିଥିଲା।
ଅବକାରୀ ଆଇନ ଉଲ୍ଲଙ୍ଘନ କରିଥିବାରୁ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ସମସ୍ତ ବାରକୁ ନୋଟିସ କରିବ କମିଶନରେଟ ପୁଲିସ । ଏହା ସହିତ ଅବାକାରୀ ବିଭାଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୁଲିସ ତରଫରୁ ନୋଟିସ କରାଯିବ । ତେବେ ଏହି ଚଢାଉ ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାଇଛନ୍ତ ଡିଏସପି ।