ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କୁ ନେଇ ଉଚ୍ଚ ସ୍ତରୀୟ ବୈଠକ ବସିବ। ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ। ଭିସି ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏହି ବୈଠକରେ ଯୋଡ଼ି ହେବେ। ଏହିରେ ବିଶେଷ ଭାବେ ଜିଲ୍ଲା ସ୍ତରରେ ପଡ଼ି ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ ଏହି ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି।
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ବୈଠକରେ ଆଲୋଚନା କରାଯିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକକୁ ଆସିବେ। ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ। ସମସ୍ତ ବିଷୟ ବସ୍ତୁ ବିଷୟ ରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ଦରକାର। ସେହିପରି ବୈଠକର ଏଜେଣ୍ଡା ଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଁଚିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଚିଠି କରାଯାଇଛି।
ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଅଧିକ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ପନ୍ଦର-ଦଫା ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି। ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ସରକାର ଦକ୍ଷ ଏବଂ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ଵ ଆରୋପ କରିବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ଵହୀନ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବିଧାନର ୩୧୧ ଧାରା ଏବଂ ଓଡିଶା ସର୍ଭିସେସ ରୁଲ ଅନୁଯାୟୀ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ୧୧ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ଓଡ଼ିଶା ପର୍ଯ୍ୟଟନ ନୀତି ସଂଶୋଧନ ବିଲ୍ ଅନୁମୋଦିତ