ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ ଏନଏସି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରରେ ଖୁବ ଶୀଘ୍ର ନିର୍ମାଣ ହେବ ଜନଆଶ୍ରୟ ଭବନ । ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ ।
ଏହା ପୂର୍ବରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜଧାନୀରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆୟୋଜିତ ଚିତ୍ତାକର୍ଷକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଖସଡା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ସରକାର ୭୦ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୟୋବନ୍ଦନା ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୯୩୬ କୋଟି ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ଓଡିଶା ଫାର୍ମାର ହବ୍ ହେବ । ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ରାଜଧାନୀରେ ଜନ ଆଶ୍ରୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।