ଭୁବନେଶ୍ବର : ରାଜଧାନୀବାସୀଙ୍କୁ ନୂଆ ଭେଟି। ଦିନ କେଇଟା ପରେ ଭୁବନେଶ୍ବରରେ ଚାଲିବ ମେଟ୍ରୋ। ଦୀର୍ଘଦିନର ଆଶା ପୂରଣ ହେବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମ ହେବ। ୬ ହଜାର ୨ ଶହ ୫୫ କୋଟି ଟଙ୍କା ବ୍ୟୟରେ ମେଟ୍ରୋ ନିର୍ମାଣ ପାଇଁ ୪ବର୍ଷ କାଳ ସମୟ ଲାଗିବ ବୋଲି କୁହାଯାଇଛି। ଏହି ମେଟ୍ରୋ କାର୍ଯ୍ୟ ପାଇଁ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ ଏହି ବୁଝାମଣାପତ୍ର ଭର୍ଚୁଆଲ ମାଧ୍ୟମରେ ସ୍ବାକ୍ଷରୀତ ହୋଇଛି। ଏହି ମେଟ୍ରୋ ପ୍ରକଳ୍ପ କଟକ ଭୁବନେଶ୍ୱରକୁ ଯୋଡ଼ିବ । ଏହା ମଧ୍ୟରେ ରହିବ ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁର । ପରେ ଏହା କଟକ ଟାଉନ ସହ ଖୋର୍ଦ୍ଧା ଓ ପୁରୀକୁ ସଂପ୍ରସାରଣ କରିବାର ଯୋଜନା ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ରାଜସ୍ଥାନରୁ ଆସିଥିବା ଏହି ଟିମ୍ ସ୍ବତନ୍ତ୍ର ମେସିନ ଜରିଆରେ ମାଟି ପରୀକ୍ଷଣ କରିଥିଲା। ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରାଯାଇଥିଲା। ମାଟି ନମୁନା ସଂଗ୍ରହ ପରେ ଟେକ୍ନିକାଲ ଟିମ୍ ଯାଞ୍ଚ ପାଇଁ ରାଜସ୍ଥାନ ପଠାଇଥିଲା। ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ୨୬ କିଲୋମିଟର କାର୍ଯ୍ୟ ପାଇଁ ପାଖାପାଖି ୪୫୦ଟି ପିଲର ନିର୍ମାଣ କରାଯିବ। ଉପରୋକ୍ତ ବ୍ୟବଧାନ ଭିତରେ ୭ରୁ ୮ଟି ଷ୍ଟେଶନ ପ୍ରତିଷ୍ଠା ହେବ । ଏପରି ମଧ୍ୟ କୁହାଯାଉଛି ଯେ, ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ବରରୁ କଟକ ପହଞ୍ଚିବାକୁ ୧୫ ମିନିଟ ଓ ପୁରୀକୁ ୩୦ ମିନିଟ ଲାଗିବ। ତେବେ ଆଗାମୀ ଦିନରେ ଏହା କତେ ଫଳପ୍ରଦ ହେଉଛି ଦେଖିବାକୁ ରହିଲା ।
ଅଧିକ ପଢନ୍ତୁ:
ଅଖିଳ ଭାରତ ସାନ୍ତାଳୀ ସମ୍ମିଳନୀ ରେ ଯୋଗ ଦେଲେ ରାଷ୍ଟ୍ରପତି
ଜଗା ଦର୍ଶନ କରିବାକୁ ଯାଉଥିଲା ବେଳେ ଘଟିଗଲା ଦୁର୍ଘଟଣା