ଶୁକ୍ରବାର ଲୋକାର୍ପିତ ହେଲା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ। ଏହି ଅତ୍ୟାଧୁନିକ ବସ ଟର୍ମିନାଲରେ ବସ୍ ପ୍ରବେଶରୁ ପ୍ରସ୍ଥାନ ପଥ, ଆହାର କେନ୍ଦ୍ର ସବୁ ଚକାଚକ୍ । ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ । BSABT ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍ ବ୍ୟବସ୍ଥା କରାଯାଇଛି । ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ । ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍ଇଡି ସ୍କ୍ରିନରେ ପ୍ରଦାନ କରାଯିବ ।
ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି । ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍, ଏଟିଏମ୍, ଆହାର କେନ୍ଦ୍ର ଭଳି ସେବା ମିଳିବ । ବସ୍ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ । ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବା ବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି।
ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି । ବେସମେଣ୍ଟରେ ୧୧୫ କାର୍ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ଟର୍ମିନାଲରେ ୫୦ ବସ୍ ରହିବା ସହ ୨୦୦ ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ସିଟିବସ୍ ପାଇଁ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି । ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ସ୍ୱତନ୍ତ୍ର ରାସ୍ତା ସହ ବସ୍ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ଅଲଗା ଅଲଗା କରାଯାଇଛି ।
ଅଧିକ ପଢନ୍ତୁ : ଖୋଲିପାରେ ରତ୍ନଭଣ୍ଡାର !