ବିଜେଡି ଛାଡ଼ିଲେ ଆଉ ଜଣେ ବରିଷ୍ଠ ନେତ୍ରୀ। ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସନ୍ଧ୍ୟାବତୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।
ସୂଚନା ଅନୁସାରେ ନିଜ ଇସ୍ତଫାପତ୍ରରେ ସନ୍ଧ୍ୟାରାଣୀ ନବୀନ ପଟ୍ଟନାୟକଙ୍କୁ କଡ଼ା କଥା ଶୁଣାଇଛନ୍ତି । ସେ ଲେଖିଛନ୍ତି, ମୁଁ ଖୁବ୍ ଦୁଃଖର ସହିତ ଦଳରୁ ଇସ୍ତଫା ଦେଉଛି। କାରଣ ମୁଁ ଅନୁଭବ କରୁଛି ଯେ ଏକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆପଣଙ୍କୁ ଘେରି ରହୁଥିବାରୁ ଆମ ସ୍ୱର ଆପଣଙ୍କ ପାଖରେ ପହଞ୍ଚି ପାରୁନାହିଁ। ଆମର ଅଭିଯୋଗ ଓ ପରାମର୍ଶ ଆଦି ଶୁଣିବାକୁ ଆପଣଙ୍କ ଦ୍ୱାର ଆମ ପାଇଁ ପୂରା ବନ୍ଦ ଭଳି ଅନୁଭବ ହେଉଥିବା ସେ ଚିଠିରେ କ୍ଷୋଭର ସହ ଲେଖିଛନ୍ତି।
ନିଜ ଇସ୍ତଫାପତ୍ରରେ ସେ ଆହୁରି ମଧ୍ଯ ଉଲ୍ଲେଖ କରିଛନ୍ତି, ମୋତେ ଯେଉଁ କାମ ଦିଆଯାଇଛି, ତାକୁ ମୁଁ ସୂଚାରୁ ରୂପେ ତୁଲାଇଛି। ମହିଳା ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ଦିଗରେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାକୁ ମୁଁ ଆପଣଙ୍କ ନିର୍ଦ୍ଦେଶ ଓ ପରାମର୍ଶକ୍ରମେ ଭଲ ଭାବେ ସଂପାଦନ କରିଛି। ଏବେ ମୁଁ ଦଳର ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ତେଣୁ ମୁଁ ଦୁଃଖର ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି।
ପୁରୀ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତ୍ରୀ ଥିଲେ ସନ୍ଧ୍ୟାବତୀ। ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ, ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସହ ଏକାଧିକ କମିଟିର ବି ଦାୟିତ୍ୱ ତୁଲାଇଥିଲେ ।