ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଆଗୁଆ ସତର୍କତା ଓ ପ୍ରସ୍ତୁତି ଜୋରଦାର ହୋଇଛି। ଯେକୌଣସି ଜରୁରୀ ପରିସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାର ପ୍ରଶାସନିକ କଳକୁ ସଜାଗ ରଖିଛନ୍ତି। ବିପଦ ଆଶଙ୍କା ଥିବା ୮ଟି ଜିଲ୍ଲାରୁ ୨ ଲକ୍ଷ ୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୋଜନା ହୋଇଛି। ଏଥିସହ ୭୪ଟି ODRAF ଓ NDRF ଟିମ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯାଇଛି।
ସରକାରୀ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଆକଳନ କରି ୮ଟି ଜିଲ୍ଲାର ୮୭ଟି ବ୍ଲକ୍ର ୧,୯୦୨ଟି ବିପଦପ୍ରବଣ ସ୍ଥାନକୁ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରୁ ମୋଟ ୨,୦୪,୦୭୦ ଜଣଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସ୍ଥାନାନ୍ତର ଯୋଜନାରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଛି। ଏଠାରୁ ୧,୨୧,୫୯୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା ଥିବାବେଳେ ଗଜପତିରୁ ୨୫ ହଜାର, ପୁରୀରୁ ୨୪,୦୭୬, କନ୍ଧମାଳରୁ ୧୦,୨୪୦ ଏବଂ ମାଲକାନଗିରିରୁ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଅନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
୩,୩୨୯ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, ଖାଦ୍ୟ ଓ ପାନୀୟ ଜଳ ଉପରେ ଗୁରୁତ୍ୱ
ବାତ୍ୟା ସମୟରେ ଲୋକଙ୍କୁ ନିରାପଦ ଆଶ୍ରୟ ଯୋଗାଇଦେବା ପାଇଁ ୮ଟି ଜିଲ୍ଲାରେ ମୋଟ ୩,୩୨୯ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ନଭେମ୍ବର ୧୭ ସୁଦ୍ଧା ଏଥିମଧ୍ୟରୁ ୪ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଥିବାବେଳେ ସେଠାରେ ୨୭୬ ଜଣ ଲୋକ ରହିଛନ୍ତି। ଜିଲ୍ଲାୱାରୀ ଆଶ୍ରୟସ୍ଥଳୀ ସଂଖ୍ୟାକୁ ଦେଖିଲେ ଗଞ୍ଜାମରେ ୧,୧୩୯ଟି, ପୁରୀରେ ୫୪୯ଟି, ଗଜପତିରେ ୫୧୮ଟି ଏବଂ କୋରାପୁଟରେ ୫୧୩ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।
ଆଶ୍ରୟସ୍ଥଳୀଗୁଡ଼ିକରେ ଯେପରି ମୌଳିକ ସୁବିଧାର ଅଭାବ ନ ରହେ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ, ଖାଦ୍ୟ, ପରିମଳ, ଆଲୋକ, ଚିକିତ୍ସା ସେବା ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି।
ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବାତ୍ୟା ମୁକାବିଲା ପ୍ରସ୍ତୁତିରେ ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ମୋଟ ୨,୫୭୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣଙ୍କୁ ଇତିମଧ୍ୟରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥାନାନ୍ତର ପ୍ରକ୍ରିୟାରେ ଗର୍ଭବତୀ ମହିଳାଙ୍କ ସହ ଛୋଟ ପିଲା, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ତଳିଆ ଅଞ୍ଚଳ ଓ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନର ବାସିନ୍ଦାଙ୍କୁ ପ୍ରଥମେ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ରହିଛି।
ମଇଦାନରେ ରହିବେ ୭୪ଟି ଉଦ୍ଧାରକାରୀ ଟିମ୍
ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ODRAF ଏବଂ ୧୪ଟି NDRF ଟିମ୍କୁ ମିଶାଇ ମୋଟ ୭୪ଟି ଟିମ୍ ପ୍ରସ୍ତୁତ ରଖାଯାଇଛି। ଏଥିରୁ ୪୨ଟି ODRAF ଓ ୧୧ଟି NDRF ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଅବଶିଷ୍ଟ ଟିମ୍ଗୁଡ଼ିକୁ ଆବଶ୍ୟକ ସମୟରେ ତୁରନ୍ତ ମୁତୟନ କରିବା ପାଇଁ ସଂରକ୍ଷିତ ରଖାଯାଇଛି।
ଜିଲ୍ଲା ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୧୫ଟି ଉଦ୍ଧାରକାରୀ ଟିମ୍ ମୁତୟନ ହେବାକୁ ଥିବାବେଳେ ଗଜପତିରେ ୭ଟି ଟିମ୍ ରହିବେ। ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଓ ଜଗତସିଂହପୁର ଆଦି ଜିଲ୍ଲାରେ ମଧ୍ୟ ଉଦ୍ଧାରକାରୀ ଦଳ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି।