ପୁରୀ : ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ । ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ । ତେବେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଓ ଜେଟିପି କର୍ମଚାରୀ ଯୁବକଙ୍କୁ ଅଟକାଇବା ବେଳେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା ।
ସୂଚନା ଅନୁଯାୟୀ ଆଜି ବଡ଼ି ଭୋରରୁ ଦ୍ବାର ଫିଟା ନୀତି ବେଳେ ଏଭଳି ଘଟଣା ଘଟିଛି। ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲେ । ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ସିଂହଦ୍ଵାର ଥାନାରେ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଯୁବକ ଜଣକ ଢେଙ୍କାନାଳ ଗନ୍ଦିଆ ଗାଁର ଲାଲୁ ପ୍ରସାଦ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଣ ପାଇଁ ସେ ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।