ସବୁ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ। ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି । ଆଜି ଏନେଇ ବିଧିବଦ୍ଧଭାବେ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ପୂର୍ବଥର ପରି ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେଡି।
ସୂଚନା ଯୋଗ୍ୟ ୨୦୧୯ରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି । ଚଳିତ ଥର ବି ନିଜ ସମର୍ଥନ ଦୋହରାଇଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି ବିଜେଡି । ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ସୋମବାର ଦିନ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ରହିଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଆଉ ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି । ଅଶ୍ୱିନୀ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ।
ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛି । ଆଉ ଥରେ ସେବା କରିବାକୁ ସୁଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଅଶ୍ୱିନୀ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରୁଛି ।