ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ଏବଂ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜା । ଗଜପତି ମହାରାଜାଙ୍କ ସେବା ହେଉଛି ବଂଶାନୁକ୍ରମିକ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଗଜପତି ମହାରାଜା ସେବା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଗଜପତି ବଂଶ ପରମ୍ପରା କ୍ରମେ ଗଜପତି ମହାରାଜାଙ୍କ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀ ସୂତ୍ରରେ ଗଜପତି ମହାରାଜା ରୂପେ ଅଭିଷିକ୍ତ ହୋଇ ଶ୍ରୀମନ୍ଦିରରେ ଗଜପତି ମହାରାଜା ସେବା କରି ପାରିବେ । ଗଜପତି ମହାରାଜାଙ୍କ କନ୍ୟାସନ୍ତାନ ଗଜପତି ମହାରାଜା ସେବା କରିପାରିବେ ନାହିଁ । ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ । ଉତ୍ତରାଧିକାରୀ ଙ୍କ ଅଭିଷେକ, ତା ପରେ ବ୍ରତୋପୟନ ଏବଂ ଶାଢ଼ୀବନ୍ଧା ପର୍ବ ସମାପନ ପରେ ସେ 'ଗଜପତି ମହାରାଜା ସେବା' କରିପାରିବେ । 'ଶାଢ଼ୀବନ୍ଧା' ପ୍ରଥା ହେଉଛି ଶ୍ରୀମନ୍ଦିରରେ ସେବାନିର୍ବାହ କରିବା ପାଇଁ ମହାପ୍ରଭୁଙ୍କ ଆଜ୍ଞା । ଗଜପତି ବଂଶର ପରମ୍ପରା କ୍ରମେ ଗଜପତି ମହାରାଜା ପଦରେ ଅଭିଷିକ୍ତ ହେବା ପରେ ଗଜପତି କ୍ରମାନୁସାରେ ଗଜପତି ମୁକୁନ୍ଦଦେବ, ଗଜପତି ରାମଚନ୍ଦ୍ରଦେବ, ଗଜପତି ବୀରକିଶୋରଦେବ, ଗଜପତି ଦିବ୍ୟସିଂହଦେବ ଏହି ଚାରୋଟି ନାମରେ ନାମିତ ହୋଇଥାନ୍ତି ।
ତବେ ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି । ଅଭିଷକ ନୀତି ପୂର୍ବରୁ ଶ୍ରୀନଅରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଛି । ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବା ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ରହିଛି । ସେହିପରି ଗଜପତି ତାଙ୍କର ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଗଜପତିଙ୍କୁ ଆଶୀର୍ବାଦ କରିବେ। କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଏହି ଅବସରରେ ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି ।
ଅଧିକ ପଢନ୍ତୁ : ଗଣତନ୍ତ୍ର ଦିବସ ପାଇଁ ମହାତ୍ମା ଗାନ୍ଧୀ ମାର୍ଗ ପ୍ରସ୍ତୁତ