କେନ୍ଦ୍ରାପଡା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାସ କରିଛି ଆଳି ପୋଲିସ। ମାତ୍ର କିଛି ଦିନର ତଦନ୍ତ ପରେ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର, ଦୁଇଟି ମୋବାଇଲ ଫୋନ୍ ଏବଂ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।
ସୂଚନା ଅନୁସାରେ, ଗତ ୫ ତାରିଖ ରାତିରେ ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁର ପ୍ରଦୀପ ରାଉତଙ୍କ ଘରେ ୮ ଜଣ ସଶସ୍ତ୍ର ଡକାୟତ ପଶିଥିଲେ। ଘରର ସଦସ୍ୟମାନଙ୍କ ବେକରେ ଭୁଜାଲି ଲଗାଇ ସେମାନଙ୍କୁ ଭୟଭୀତ କରିବା ସହ ୨୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା, ରୂପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ।
ଘଟଣାକୁ ଗୁରୁତ୍ୱର ସହ ନେଇ ଆଳି ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର, ଦୁଇଟି ମୋବାଇଲ ଫୋନ୍, ଡକାୟତିରେ ବ୍ୟବହୃତ ୩ଟି କଟୁରୀ ଏବଂ ଦୁଇଟି ବାଇକ୍ ଜବତ କରାଯାଇଛି।
ତେବେ ଡକାୟତିରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ମିଳିଛି। ତାକୁ ଗିରଫ କରିବା ପାଇଁ ପୋଲିସର ତଲାସି ଜାରି ରହିଛି। ଏହି ସଫଳତା ସହ ଆଳି ପୋଲିସ ଏକ ବଡ଼ ଡକାୟତ ଗ୍ୟାଙ୍ଗର ମୁଖା ଖୋଲିଥିବାବେଳେ ଅଞ୍ଚଳବାସୀ କିଛିଟା ଆଶ୍ୱସ୍ତ ହୋଇଛନ୍ତି।