ପୁଣି ଜୀବନ ହାରିଲା ଆଉ ଜଣେ ନବବଧୂ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏକ ଦୁଃଖଦ ପୁର୍ଣ ଘଟଣା। ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ। ତେବେ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ପୋଲିସକୁ ମୃତ ମହିଳାଙ୍କ ଶାଶୁଘର ଲୋକଙ୍କ ନାମରେ ଏତଲା ଦେଇଛନ୍ତି।
ସୂଚନା ମୁତାବକ, ଗତ ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ ବିବାହ କରିଥିଲେ ଦୀପା। କିଛି ଦିନ ଉଭୟଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ହେଲେ ଆଜି ସକାଳେ ହଠାତ୍ ତାଙ୍କ ଝୁଲନ୍ତା ମୃତଦେହ ବନ୍ଦ ଘରୁ ଠାବ ହୋଇଛି। ତେଣୁ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଝିଅର ମୃତ୍ୟୁ ପରେ ବାପଘର ଲୋକେ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ପୋଲିସ ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ଶାଶୁଘର ଲୋକଙ୍କୁ ଅଧିକ ପଚରାଉଚରା କରୁଛନ୍ତି।