ଗଞ୍ଜାମ : ମା' ତାରାତାରିଣୀ ପୀଠରେ ଖୋଲା ଯାଇଛି ମନ୍ଦିର ଦାନ ହୁଣ୍ଡି। ହୁଣ୍ଡି ମଧ୍ୟରୁ ଟଙ୍କା, ପଇସା, ସୁନା, ରୂପା, କାନାଡା ଡଲାର ଓ ବିଦେଶୀ ଟଙ୍କା ସହିତ ଜଣେ କୁନି ବାଳକର ଆବେଗଭରା ଚିଠି ମିଳିଛି। ଯେଉଁଥିରେ ଲେଖା ଥିଲା - ହେ ମା ତାରାତାରିଣୀ, ତୁ ସବୁ ଜାଣୁ। ମୁଁ କେମିତି ଅଛି, ମୋ ପରିବାର କେମିତି ଅଛି। ତୁ କହ ମା, ମୁଁ ଆଉ କେତେ ଦୁଃଖ ସହିବି। ମୁଁ ଯଦି ଛୋଟ ବେଳୁ ଏତେ ଦୁଃଖ ସହିବି, ବଡ ହେଲେ ମୋ ଅବସ୍ଥା କଣ ନ ହେବ।
ସେହି ନିର୍ମଳ ମନ ଓ କୋମଳ ହୃଦୟର ଚିଠି ପଢିବା ସମୟରେ ପୂଜାରୀଙ୍କ ସହ ସମସ୍ତ କର୍ମକର୍ତ୍ତା ଏକ ପ୍ରକାର ଭାବବିହ୍ୱଳ ହୋଇ ପଡ଼ିଥିଲେ। କାରଣ ସେ ମାଙ୍କୁ ମାଗି ନ ଥିଲା ପୂଳା ପୁଳା ଧନ କି ମାଗୁ ନ ଥିଲା ଯଶ ଆଉ ଖ୍ୟାତି। କେବଳ ନିଜ ପରିବାରକୁ ଭଲରେ ରଖିବା ପାଇଁ ମାଙ୍କ ନିକଟରେ କରିଥିଲା ଅଳି। ଆଉ ନିଜ ପରିବାର ପ୍ରତି ଆସିଥିବା ବିପଦକୁ ଦୁରେଇ ଦେବା ନିମନ୍ତେ ମା'ର ପଣତ କାନିରେ ପସିଥିଲା ଶରଣ। ଆଉ ଏତିକି ବେଳେ ନିଜ ମନର କଥାକୁ ମାଙ୍କ ଉଦ୍ଦେଶ୍ୟରେ ଲେଖି ପକାଇ ଦେଇଥିଲା ଦାନ ବାକ୍ସରେ।
ତେବେ ଏହି ଚିଠି ସମସ୍ତଙ୍କୁ ବ୍ୟଥିତ କରିବା ସହିତ ପିଲାଟି ଓ ତା ପରିବାରର ଦୁଃଖ ଦୂର କରିବା ପାଇଁ ସମସ୍ତେ ମାଙ୍କୁ କିଛି ସମୟ ପାଇଁ ପ୍ରାର୍ଥନା କରିଥିଲେ। ଆଜିର ଏ ଦୁନିଆରେ କିଛି ସ୍ୱାର୍ଥପର ମଣିଷ ନିଜର ଫାଇଦା ପାଇଁ ପରିବାରର ଅମଙ୍ଗଳ ଚିନ୍ତା କରିବାକୁ ପଛାଉ ନାହାନ୍ତି। ସେଭଳି ସ୍ଥଳେ ସ୍ୱଳ୍ପ ବୟସର ଏହି ପିଲାଟିର ନିଜ ପରିବାର ପ୍ରତି ଅଶେଷ ଭଲ ପାଇବା ଓ ଠାକୁରଙ୍କ ପ୍ରତି ରହିଥିବା ଅଗାଢ ବିଶ୍ୱାସ ସଭିଙ୍କୁ ଭାବବିହ୍ୱଳ କରିଛି। ତେବେ ଆଶା, କୁନି ଭକ୍ତଟିର ଦୁଃଖ ମା ତାରାତାରିଣୀ ନିଶ୍ଚୟ ଶୁଣିବେ।