ବାହାନଗା ଟ୍ରେନ୍ ଦୁର୍ଘଟଣା କରିଦେଇଛି ପୁରା ବିଶ୍ୱକୁ ସ୍ତବ୍ଧ ହେଲେ କାହାର ଭୁଲ ଯୋଗୁଁ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣା ନେଇ ମୂଳ କାରଣ ଜଣାପଡିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେପଟେ ରେଳର ସୁରକ୍ଷା କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ ‘କବଚର’ କୌଣସି ସମ୍ପର୍କ ନାହିଁ । ଗତକାଲି ମମତା ବାନାର୍ଜୀ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ସମ୍ପୁର୍ଣ୍ଣ ଭିତିହିନ ବୋଲି ମନ୍ତ୍ରୀ କହିଛନ୍ତି । ତାଙ୍କୁ ଏହି ବିଷୟରେ ଯେତିକି ଜଣା ଅଛି ସେ ସେତିକି ହିଁ କହିଛନ୍ତି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି ଓ ଅଧିକ ତଦନ୍ତ ଚାଲିଛି । ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ରେଳ ମନ୍ତ୍ରୀ କହିଛନ୍ତି,ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ଏବେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ସମସ୍ତ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।