ଫ୍ୟାମିଲି ପ୍ଳାନିଙ୍ଗ ଅପରେସନ ପରେ ମେଡିକାଲ ବାରଣ୍ଡାରେ ଶୋଇଲେ ମହିଳା । ମେଡିକାଲରେ ବେଡ଼ ନ ମିଳିବାରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଘଟିଛି। ଅନ୍ୟପକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜଙ୍କ କହିବା ମୁତାବକ ମେଡିକାଲରେ ବେଡ଼ର ନିର୍ମାଣ ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ ବେଡର ସୁବିଧା ମିଳିପାରିନାହିଁ। ତେବେ ଏହି କାରଣରୁ ମହିଳାମାନେ ଚଟାଣ ଉପରେ ଶୋଇଛନ୍ତି।
ସୂଚନା ଅନୁସାରେ , ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବନ୍ଧ୍ୟାକରଣ ଶିବିର ଚାଲିଥିଲା । ତେବେ ଏହି ଶିବିରରେ ସାମିଲ ହୋଇଥିବା ମହିଳାମାନଙ୍କର ଫ୍ୟାମିଲି ପ୍ଳାନିଙ୍ଗ ଅପରେସନ କରିବା ପରେ ସେମାନଙ୍କୁ ବେଡ଼ ଯୋଗାଇ ଦେବା ପରିବର୍ତ୍ତେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପାଲ ଯୋଗାଇ ଦିଆଯାଇଥିଲା। ଯାହା ଫଳରେ ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଆଉଟ ଡୋର୍ ଆଗରେ ପାଲ ପକାଇ ଶୋଇଥିଲେ। ତେବେ ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ଓ ସେମାନଙ୍କୁ ନେଇ ଆସିଥିବା ଆଶା କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।