କୋରାପୁଟ: ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର ଉଡ଼ନ୍ତା ଗୁଣ୍ଡୁଚି ମୂଷା। ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ଏହି ବିରଳ ପ୍ରାଣୀକୁ ଦେଖିବାକୁ ପାଇଥିଲେ। ତେବେ କୋରାପୁଟଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍ କ୍ୟାମ୍ପ ପଛପଟୁ ଏହି ପ୍ରାଣୀଟି ମିଳିଛି। ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବାରୁ ଯବାନମାନେ ତାର ପ୍ରାଥମିକ ଚିକିତ୍ସା କରାଇଥିଲେ। ଏହାପରେ ରାମଗିରି ବିଏସଏଫ କମ୍ପାନି କୋମାଣ୍ଡର ମୂଷାକୁ ନିକଟସ୍ଥ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।
ଜଙ୍ଗଲ କ୍ଷୟ ସାଙ୍ଗକୁ ଏମାନଙ୍କ ବାସସ୍ଥାନ ନଷ୍ଟ ହେଉଥିବା କାରଣରୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ଖସିବାରେ ଲାଗିଛି। ଏହି ଉଡ଼ନ୍ତା ମୂଷାମାନେ ଅନ୍ୟ ବନ୍ୟଜୀବଙ୍କ ଭିତରେ ବହୁତ ବିରଳ। ବିଗତ ଅନେକ ବର୍ଷ ପରେ ଏହି ଜୀବଟି ଦେଖିବାକୁ ମିଳିଛି। ତେବେ ବିଏସଏଫ ଯବାନମାନେ ଏହି ପ୍ରାଣୀକୁ ଦେଖି ବହୁତ ଖୁସି ହେଇଯାଇଥିଲେ। ସେମାନେ କହିଥିଲେ ଯେ ଏମାନଙ୍କ ବାସସ୍ଥାନ ସହିତ ଜଙ୍ଗଲର ସୁରକ୍ଷା କରାଯାଇପାରିଲେ କୋରାପୁଟ ଜିଲ୍ଲାରେ ଦେଖାଯାଉଥିବା ଏଭଳି ବିରଳ ଜୀବଜନ୍ତୁଙ୍କର ସୁରକ୍ଷା କରାଯାଇପାରିବ। ଏହାସହିତ ସେହି ପ୍ରାଣୀ ମାନଙ୍କର ମଧ୍ୟ ଆହୁରି ବଂଶ ବିସ୍ତାର ହୋଇପାରିବ।