ଭୁୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି । ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ରାଜ୍ୟ ସରକାର ଗୁତୁତର ସହ ଗ୍ରହଣ କରିଛନ୍ତି । ତେଣୁ ୫୦ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଡିଭିଜନ ସ୍ତରରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବା ପାଇଁ କୁହାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୨୪ ଆରମ୍ଭରୁ ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ହେବ।
ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ୨୦୨୪ ଆରମ୍ଭରୁ ଏପର୍ଯ୍ୟନ୍ତ ଘଟିଥିବା ଅସ୍ୱାଭାବିକ ହାତୀମୃତ୍ୟୁର ତଦନ୍ତକରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଲେଖିଥିବା ଚିଠିରେ ମନ୍ତ୍ରୀ ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ଅତିରିକ୍ତ ଯତ୍ନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ତେବେ ଦୋଷୀ ବ୍ୟକ୍ତିବିଶେଷ ଓ ଅବହେଳା କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକମାସ ମଧ୍ୟରେ ଜଣାଇବା ପାଇଁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିିଶେଷ କରି ବଡ଼ମ୍ବା ଓ ଆଠଗଡ ବନଖଣ୍ଡ ହାତୀ ହତ୍ୟାକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ନରସିଂହପୁର ବନାଞ୍ଚଳରେ ଗତବର୍ଷ ସେପ୍ଟେମ୍ବରର ୨୧ ତାରିଖରେ ଦନ୍ତା ହାତୀର ମରଶରୀରକୁ ପୋତି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ସ୍ଥାନୀୟ କିଛି ବନକର୍ମଚାରୀ। ଯାହାର ଖୁଲାସା କରିଥିଲା ଏସଟିଏଫ। ଗତ ୨ ବର୍ଷ ମଧ୍ୟରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଅନେକ ବନ୍ୟପ୍ରାଣୀ ଡିଭିଜନରେ ୩୦ରୁ ଅଧିକ ହାତୀଙ୍କ ପ୍ରାଣହାନୀ ହେଲାଣି। ଆଉ ଅଧିକାଂଶ ଜୀବନ ହରାଇଛନ୍ତି ଶିକାରୀ ଗୁଳିରେ।