ପୋଲିସ କବଜାରେ ପଞ୍ଚତାରକା ଠକ । ନିଜର ଷ୍ଟାର୍ଟ ଅପ୍କୁ ଫ୍ରାଞ୍ଚାଇଜ୍ ଦେଇ ରୋଜଗାର ଦେବାର ଆଶା ଦେଖାଇ କୋଟି କୋଟି ଟଙ୍କା ଠକେଇ କରିଥିବା ବଡ଼ ଦୁର୍ବୃତ୍ତକୁ ଗିରଫ କରିଛି କମିସନେରଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ତାରକା ହୋଟେଲରୁ ତାରକା ଠକେଇର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବଡ଼ବଡ଼ ମଲ୍ରେ ଅଫିସ୍ ଖୋଲି ଲୋକଙ୍କୁ ଚୂନ ଲଗାଉଥିଲା ଏହି ଅଭିଯୁକ୍ତ । ଠକେଇ ବଳରେ ସେ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ଠକିଥିବାର ସୂଚନା ମିଳିଛି । ତଦନ୍ତ ଚାଲିଥିବାରୁ ଏନେଇ ପୁଲିସ ସ୍ପଷ୍ଟ କରିନାହିଁ। ଡିଏନ୍ ଅକ୍ସି ପାର୍କସ୍ଥିତ ଦୁର୍ବୃତ୍ତର ଅଫିସରେ ଚଢ଼ଉ କରି ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ସେ ଚଢ଼ୁଥିବା ଟାଟା ସଫାରୀ ଗାଡ଼ି ଜବତ କରିଛି।
ଅଭିଯୁକ୍ତ ଜଣକ ୨୦୧୭ ମସିହାରେ ପ୍ରଧାମନ୍ତ୍ରୀ ନିଯୁକ୍ତି ସୁଯୋଗ ଯୋଜନା(ପିଏମ୍ଇଜିପି)ରେ ଏକ ଷ୍ଟାର୍ଟ ଅପ୍ କରିଥିଲା। ଓଡ଼ିଶାରେ ‘ଗୋ ସ୍ପିଡ୍ ଗୋ’ ନାମରେ ନିଜର ସଂସ୍ଥା ପଞ୍ଜୀକରଣ ମଧ୍ୟ କରିଥିଲା। ଏହି ଷ୍ଟାର୍ଟ ଅପ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ରାସ୍ତାରେ ଖରାପ ହେଉଥିବା ଗାଡ଼ିଗୁଡ଼ିକୁ ବୁଲିବୁଲି ଠିକ୍ କରିବା। ଏଥିପାଇଁ ସେ ନୂଆ ଉଦ୍ୟୋଗୀମାନଙ୍କୁ ଫ୍ରାଞ୍ଚାଇଜ୍ ଦେଉଥିଲା। ତା’ ସଂସ୍ଥାରୁ ଫ୍ରାଞ୍ଚାଇଜ୍ ନେଲେ ଅତି କମ୍ରେ ମାସକୁ ସାଢ଼େ ୪ଲକ୍ଷ ଟଙ୍କା ଲାଭ କରିହେବ ବୋଲି ସେ ପ୍ରଲୋଭନ ଦେଖାଉଥିଲା। କେବଳ ସେତିକି ନୁହେଁ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଫ୍ରାଞ୍ଚାଇଜ୍ଧାରୀମାନେ ପୁଞ୍ଜି ନିବେଶର ୨୫% ସବ୍ସିଡ୍ ପାଇବେ ବୋଲି ସେ ସମସ୍ତଙ୍କୁ ବୁଝାଉଥିଲା। ଲୋକଙ୍କ ବିଶ୍ୱାସ ଦେବା ପାଇଁ ଓ ସେମାନଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବାପାଇଁ ବଡ଼ ମଲ୍ରେ ଅଫିସ୍ ଖୋଲି ସେଠାକୁ ପୁଞ୍ଜି ନିବେଶକାରୀଙ୍କୁ ଡାକିବା ସହ ସେ ରାଜଧାନୀ ସମତେ ରାଜ୍ୟର ବିଭିନ୍ନ ସହରରେ ତାରକା ହୋଟେଲ୍ରେ ମିଟିଂ କରୁଥିଲା ଏବଂ ବିଭିନ୍ନ ଜାଲ୍ କାଗଜପତ୍ର ବି ଦେଖାଉଥିଲା। ସାଧାରଣ ଲୋକଙ୍କୁ ମାୟାଜାଲରେ ଫସାଇ ସେ ଠକିଚାଲିଥିଲା । ଜଣେ ପୁଞ୍ଜି ନିବେଶକାରୀଙ୍କ ଠାରୁ ଫ୍ରାଞ୍ଚାଇଜ୍ ଦେବାବଦଳରେ ପ୍ରାୟ ୧୦ଲକ୍ଷ ଟଙ୍କା ନେଉଥିଲା । ନିରୀହ ଲୋକଙ୍କୁ ଠକୁଥିବା ଦୁର୍ବୃତ୍ତ ପୋଲିସ ସହ ଲୁଚକାଳି ଖେଳୁଥିଲା କିନ୍ତୁ ସବୁ ଯୋଜନା ତାର ବିଫଳ ହେଲା ଶେଷରେ ପୋଲିସ ହାତରେ ଧରାପଡିଲା ।
ଅଧିକ ପଢନ୍ତୁ ;ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ