ସୁନ୍ଦରଗଡ଼/ସମ୍ବଲପୁର: ଦୁଇଟି ଦୁର୍ଘଟଣାରେ ୫ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପଥର ଅଜଣାରେ ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାହାର ପରିଚୟ ମିଳିପାରିନଥିବାବେଳେ ସମସ୍ତେ ଚାନ୍ଦିପୋଷ ଓ କେବଲାଙ୍ଗ ଅଞ୍ଚଳର ବୋଲି କୁହାଯାଉଛି।
ସୂଚନା ଅନୁସାରେ, ୩ ଜଣ ଯୁବକ ରାଜାମୁଣ୍ଡାରୁ ଯାଉଥିବାବେଳେ ଗୌଡ଼ୁଣୀପୋଷ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଅଜଣାଗାଡ଼ି ପଛରେ ଧକ୍କା ଦେଇଥିଲେ । ଫଳରେ ସମସ୍ତେ ବାଇକରୁ ଛିଟିକି ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣକୁ ସ୍ଥାନୀୟଲୋକେ ଉଦ୍ଧାର କରି ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ରାଉକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଁଚି ବାଇକ୍ ଏବଂ ମୃତ ଦେହ ଜବତ କରିଛି ।
କୁଚିଣ୍ଡା ସମ୍ବଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଏବଂ କଣ୍ଟେନର ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଆଉ ଦୁର୍ଘଟଣାରେ ପରେ କଣ୍ଟେନରଟି ହୁତୁହୁତୁ ହୋଇ ଜଳି ଯାଇଛି । ଯୁବକମାନେ ଜମନକିରାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇ ସିଧା କଣ୍ଟେନର ତଳେ ରହିଯାଇଥିଲା । ପ୍ରଥମେ ବାଇକ୍ ଓ ପରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେପଟେ ପୋଲିସ ତିନି ଜଣଙ୍କ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।