କୋରାପୁଟ: ଜିଲ୍ଲାର ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଢ଼େଇଗୁଡ଼ା ଆଶ୍ରମ ବିଦ୍ୟାଳୟରୁ ୩ ଜଣ ନାବାଳିକା ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ଶନିବାର ସକାଳୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ବୋରିଗୁମ୍ମା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଖ୍ରୀଷ୍ଟମାସ ଛୁଟିରେ ପଢ଼େଇଗୁଡ଼ା ଆଶ୍ରମ ବିଦ୍ୟାଳୟର ସମସ୍ତ ଅନ୍ତେବାସୀ ଘରକୁ ଯାଇଥିଲେ । ଗତକାଲି ଅପରାହ୍ନରେ ଅଭିଭାବକମାନେ ୩ ଜଣ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ପୁଣି ଥରେ ବିଦ୍ୟାଳୟରେ ଛାଡ଼ିକି ଯାଇଥିଲେ । ହେଲେ ତିନି ଛାତ୍ରୀ ଅଭିଭାବକଙ୍କୁ ଅନୁସରଣ କରି ବିଦ୍ୟାଳୟରୁ ବାହାରି ଯାଇ ବାଟ ହୁଡ଼ି ଯାଇଥିଲେ । ପିଲା ନିଖୋଜ ଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବା ପରେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଗତକାଲିଠାରୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲା । ଶେଷରେ ବିଦ୍ୟାଳୟ ଠାରୁ ପ୍ରାୟ ୩ କିମି ଦୂରରେ ଏକ କୁଡ଼ିଆରୁ ସମସ୍ତ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ପିଲାମାନଙ୍କୁ ଉଦ୍ଧାର କରିଛି ।