ଢେଙ୍କାନାଳ: ଜିଲ୍ଲାର ବାଲିମି ଥାନା ପାଟଲା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଦଣ୍ଡୁଆ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ପାଟଲା ଗାଁର ସୁଧାକର ସାହୁ, ଲକ୍ଷ୍ମୀଧର ସାହୁ ଓ ମୋଟଗାଁ ଥାନା ବିଡୋ ଗାଁର ମିଲନ ମହାଳିକ । ସେହିପରି ଦୁଇ ଗୁରୁତର ମାନେ ପାଟଲା ଗାଁର ପ୍ରଫୁଲ୍ଲ ସାହୁ ଓ ନିର୍ମଳ ସାହୁ। ସମସ୍ତଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପାଟଲା ଗାଁରେ ମା’ଙ୍କ ଶେଷ ଦଣ୍ଡ ନାଚ ବେଶ ଉତ୍ସବ ମୁଖର ଥିଲା । ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଉଥିଲା । ଶେଷ ଦଣ୍ଡ ନାଚ ପାଇଁ ଷ୍ଟେଜ୍ ବନ୍ଧାଯାଉଥିବାବେଳେ ଏକ ଷ୍ଟିଲ୍ ପାଇପ୍ ଅସାବଧାନତାବଶତଃ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ୫ ଜଣ ଦଣ୍ଡୁଆ ଜଳି ଯାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସୁଧାକର ସାହୁ, ଲକ୍ଷ୍ମୀଧର ସାହୁ ଓ ମିଲନ ମହାଳିକଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଦୁଇ ଗୁରୁତରଙ୍କ ମଧ୍ୟରୁ ପ୍ରଫୁଲ୍ଲ ସାହୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏକାବେଳେ ତିନି ତିନି ଜଣଙ୍କ ମୃତ୍ୟୁ ଖବରକୁ ଗ୍ରାମବାସୀ କିମ୍ବା ପରିବାର ବର୍ଗ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସ୍ଥାନୀୟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।