ଭୁବନେଶ୍ୱର: ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଚଳିତ ବର୍ଷ ବେଶ୍ ସକ୍ରିୟ ରହିଥିଲା । ଜଣକ ପରେ ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ନିଜ ପଞ୍ଝାରେ ଧରୁଥିଲା । ତେବେ ୨୦୨୪ରେ ପ୍ରାୟ ୨୦୦ ଅପରାଧିକ ମାମଲା ପଞ୍ଜିକରଣ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥିରେ ୧୮୧ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି ।
୫୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ (CLASS-1, OFFICERS)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଅଛନ୍ତି ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଅବକାରୀ ବିଭାଗର ଯୁଗ୍ମ ସଚିବ, ଫିସରୀ ଡିପାର୍ଟମେଣ୍ଟର ଉପ ନିର୍ଦ୍ଦେଶକ, ସିଟି ଜିଏସଟିର ୨ ଜଣ ସହକାରୀ ସଚିବ, ଜଣେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍, ଜଣେ ଉପ ଜିଲ୍ଲାପାଳ, ୨ ତହସିଲଦାର, ୨ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡ଼ିଓ), ୩ ସିଏସଓ, ଜଣେ ସିଏଓ ଏବଂ ଅନ୍ୟ ଅଧିକାରୀ ।
ସେହିପରି ୧୯ ଜଣ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୨୦ ପିଆର୍ ଓ ଡିଡବ୍ଲ୍ୟୁ ଅଧିକାରୀ, ୯ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ବନ ବିଭାଗ ଅଧିକାରୀ ଏବଂ ୩ ଜଣ ଆଇସିଡି ଅଧିକାରୀ ପ୍ରମୁଖ ଗିରଫ ହୋଇଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬୦ ମାମଲା ରୁଜୁ ହୋଇଥିବାବେଳେ ୧୩୧ କୋଟି ଟଙ୍କା ଠାବ କରାଯାଇଛି ।
ଅନ୍ୟପକ୍ଷରେ ଲାଞ୍ଚ ନେବା ମାମଲା ମଧ୍ୟ ସେଥିକି ମାତ୍ରାରେ ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡ଼ିଛନ୍ତି ୧୧୫ ଜଣ ଅଧିକାରୀ, ଯେଉଁଥିରେ ୯୯ ଜଣ ସରକାରୀ ଅଧିକାରୀ ରହିଛନ୍ତି । ଲାଞ୍ଚ ନେବାରେ ୯୬ଟି ମାମଲା ରୁଜୁ ହୋଇଥିବାବେଳେ ନଗଦ ୧୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଲାଞ୍ଚ ନେବା ମାମଲାରେ ମୋଟ ୪୮୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ୭୯୨ଟି ବ୍ୟାଙ୍କ୍ ଆକାଉଣ୍ଟକୁ ରଦ୍ଦ କରାଯାଇଛି । ଚଢ଼ାଉବେଳେ ଅଧିକାରୀମାନଙ୍କର ୧୯୪ ଘର ଠାବ କରାଯାଇଥିବାବେଳେ ୭୨ଟି ଘରର ମୂଲ୍ୟ ୨୭ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ହେବ । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ସ୍ୱାମୀ ସ୍ତ୍ରୀ ଉଭୟ ଏ ସବୁ ମାମଲାରେ ଜଡ଼ିତ ଅଛନ୍ତି । ୬୦ଟି ମାମଲାରେ ୩୮ ଜଣ ସ୍ୱାମୀ କିମ୍ବା ସ୍ତ୍ରୀ ଏଥିରେ ସମ୍ପୃକ୍ତ ଅଛନ୍ତି । ୩୦୭ଟି ମାମଲାରେ ତଦନ୍ତ ଶେଷ ହୋଇଛି ।