ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩ ତମ ପାଳିରେ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି । ଆଜି ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲା । ମୁଖ୍ୟମନ୍ତ୍ରୀ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ସହିତ ତାହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଏ ସରକାର ଲୋକଙ୍କ ସରକାର, ଆପଣମାନଙ୍କ ସରକାର। ଲୋକଙ୍କ ସରକାରରେ କେହି ଜଣେ ମଧ୍ୟ ଯେମିତି ନ୍ୟାୟ ପାଇବାରୁ ବଞ୍ଚିତ ହେବେ ନାହିଁ, ଏଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ l ସାଧାରଣ ଜନତାଙ୍କ ଅସୁବିଧାକୁ ଆମ ସରକାର ଅତି ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ସମାଧାନ ପାଇଁ ସବୁବେଳେ ତତ୍ପର ଅଛନ୍ତି । ଜନ ଶୁଣାଣି ମାଧ୍ୟମରେ ସରକାର ଓ ଜନତାଙ୍କ ଭିତରେ ଥିବା କୃତ୍ରିମ ବାଡ଼କୁ ଭାଙ୍ଗି ଆମେ ବ୍ୟବସ୍ଥାକୁ ଆପଣଙ୍କ ପାଖରେ ପହଞ୍ଚାଇଛୁ । ଏ ସରକାର ଆପଣଙ୍କ ସହିତ ଅଛି, ଆପଣଙ୍କ ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ପ୍ରତ୍ୟେକ ସୋମବାର ଜିଲ୍ଲାରେ ଜିଲ୍ଲାପାଳ ଓ ଅଧିକାରୀ ମାନେ ଅଭିଯୋଗ ନେଉଛନ୍ତି । ଏ ସରକାରଙ୍କର ଆଦର୍ଶ ଅଲଗା । ଲୋକମାନେ ସ୍ୱାଭାବିକ ଲୋକଙ୍କ ସରକାର ବୋଲି ଆସୁଛନ୍ତି । ତ୍ୱରିତ ବେଗରେ ସମାଧାନ ହେଉଛି । ଆଜି ଯାଏ ୧୧ ହଜାର ଅଭିଯୋଗରୁ ୧୦ ହଜାରରୁ ଅଧିକ ଅଭିଯୋଗ ହୋଇଛି ସମାଧାନ । ଅନ୍ୟ ଅଭିଯୋଗର ସମାଧାନ କରିବାକୁ ଆମେ ଯତ୍ନଶୀଳ ଅଛୁ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।