ଜଗତସିଂହପୁରରେ ପ୍ରସ୍ତାବିତ ହୋଇଥିବା ଗୋବିନ୍ଦପୁର JSW ଅଞ୍ଚଳରେ ଦୀର୍ଘଦିନ ପରେ ପୁଣି ଉତ୍ତେଜନା ଦେଖାଦେଇଛି। ଗୋବିନ୍ଦପୁର ଗ୍ରାମର ମା ତେନ୍ତୁଳେଇ ଗ୍ରାମ କମିଟି ଗଛ କଟାକୁ ବିରୋଧ କରିଛନ୍ତି। କମ୍ପାନୀ ଦେଇଥିବା ପ୍ରତିଶୃତିକୁ ପୂରଣ ନ କରି କିଛି ଲୋକଙ୍କ ସହଯୋଗରେ ଜେଏସଡବ୍ଲୁ କମ୍ପାନୀ ତରଫରୁ ଗଛକଟା ଯାଉଥିବାରୁ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି କମ୍ପାନୀର ଗଛକଟା କାର୍ଯ୍ୟକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାୟୀ ଜେଏସଡବ୍ଲୁ କମ୍ପାନୀ ତରଫରୁ ଗ୍ରାମ୍ୟ କମିଟିକୁ ଦିଆଯାଇଥିବା ୧୧ ଦଫା ଦାବିପୂରଣ କରିବାରେ କମ୍ପାନୀ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରିଥିବା ବେଳେ ଦୁଇଦିନ ହେବ ଗ୍ରାମ୍ୟ କମିଟିକୁ ନ ଜଣାଇ କମ୍ପାନୀ ଗଛ କାଟିବାକୁ ନେଇ ଗ୍ରାମବାସୀ ମାନେ ମଙ୍ଗଳା ମନ୍ଦିର ରେ ଏକଜୁଟ ହୋଇ ବୈଠକ କରିବା ସହିତ କମ୍ପାନୀ ର ଗଛକଟା କୁ ବନ୍ଦ କରିଥିଲେ । ଘଟଣାସ୍ଥଳରେ ଅଭୟଚାନ୍ଦପୁର ପୁଲିସ ଓ JSW ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ରହିବା ସହିତ ଯେ ପର୍ଯ୍ୟନ୍ତ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରିନାହିଁ ସେ ପର୍ଯ୍ୟନ୍ତ ଗଛକଟା ବନ୍ଦ ରହିବ ବୋଲି ଜିଦ କରିବାରୁ କମ୍ପାନୀ ତରଫରୁ ଗଛକଟା କାର୍ଯ୍ୟ ବନ୍ଦ ହୋଇଥିଲା ।