ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସରିବ । ଆସନ୍ତାକାଲି ଠାରୁ ମାର୍ଚ୍ଚ 19 ତାରିଖ ପର୍ଯ୍ୟନ୍ତ ହେବ ନାଟମଣ୍ଡପ ମରାମତି କାମ | ହେଲେ ଏବେ ନାଟମଣ୍ଡପ ମରାମତିକୁ ନେଇ ଦେଖାଗଲା ଦ୍ୱନ୍ଦ। ବୁଧବାର ହୋଇଥିବା ଶ୍ରୀଜୀଉଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ଓ ପାଳିଆ ସେବାୟତଙ୍କୁ କ୍ଷତିଭରଣା ନଦେଲେ ନୀତିକାନ୍ତି ବିଳମ୍ବିତ ହେବାସହ ନାଟମଣ୍ଡପ ମରାମତି ନିର୍ଦ୍ଧାରିତ ସମୟରେ ହେବାନେଇ ଆଶଙ୍କା ପ୍ରକଟ କରିଛନ୍ତି ବରିଷ୍ଠ ସେବାୟତ ତଥା ପରିଚାଳନା କମିଟିର ପୂର୍ବତନ ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।
ତେବେ ଚୂଡାନ୍ତ ନୀତିନିର୍ଘଣ୍ଟ ଅନୁଯାୟୀ ରାତି 2ଟାରୁ ଦ୍ୱାରଫିଟା ନୀତି ହୋଇ ସକାଳ 3ଟାରେ ମଙ୍ଗଳ ଆଳତୀ,,ସକାଳ6.30ରୁ 8ଟା ମଧ୍ୟରେ ସକାଳଧୂପ,, ପୂର୍ବାହ୍ନ 10ଟାରୁ 11. 30 ମଧ୍ୟରେ ମଧ୍ୟାହ୍ନଧୂପ,,ଓ ସକାଳ 10.30ରୁ ଅପରାହ୍ନ 1ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଏଏସଆଇ ଟିମ୍ ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ମରାମତି କାର୍ଯ୍ୟ ଅପରାହ୍ନ 1ଟାରୁ ସଂଧ୍ୟା 7ଟାପର୍ଯ୍ୟନ୍ତ ଅର୍ଥାତ 6 ଘଣ୍ଟା ଜାରି ରଖିବ। ପରେ ମରାମତି କାମ ବନ୍ଦ ହୋଇ ସଂଧ୍ୟାଧୂପ ଠାରୁ ନୀତି ତ୍ୱରାନ୍ୱିତ ହେବ। ତେବେ ନାଟମଣ୍ଡପ ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ବାଧାପ୍ରାପ୍ତ ହେବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଶ୍ରୀମନ୍ଦିର ଭିତରେ ମରାମତି ସମୟରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି।
ସାତପାହାଚ ଠାରୁ ଭକ୍ତମାନେ ଡାହାଣ ପଟେ ଯାଇ ପୁର୍ନବାର ବାମପଟେ ଯାଇ ଜାଲି ଦ୍ୱାର ଓ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ଭିତରକାଠ ଦର୍ଶନ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ବାହାରକାଠ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିରରେ ବାରମ୍ବାର ନୀତିକାନ୍ତିରେ ବିଳମ୍ବ ହେତୁ ଭକ୍ତଙ୍କ ଦର୍ଶନ ସହ ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବିଳମ୍ବ ହେଉଛି। ତେଣୁ ଆଜି ଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସମସ୍ତ ସେବାୟତଙ୍କ ସହଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ନରହିଲେ ନାଟମଣ୍ଡପ ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି।