ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ହେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡର ପ୍ରମୁଖ ମୋହସିନ ନକଭିଙ୍କୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ ସହିତ ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଆସିବେ। ଉଲ୍ଲେଖନୀୟ ରାଜନୈତିକ ପ୍ରସଙ୍ଗ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେବ ଦ୍ଵିପାକ୍ଷିକ ସିରିଜ୍ ଖେଳା ଯାଇ ନାହିଁ। କେବଳ ଆଇସିସି ଓ ଏସୀୟ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏବେ ପାକିସ୍ତାନ ପାଖରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଧିକାର ରହିଛି। ତେଣୁ ଭାରତୀୟ ଦଳ ପାକିସ୍ତାନ ଯିବା ନେଇ ସନ୍ଦେହ ଉପୁଜିଛି।
ଗତ ଥର ପାକିସ୍ତାନରେ ଏସିଆ କପ୍ ୨୦୨୩ ଆୟୋଜନ ହୋଇଥିଲା। ମାତ୍ର ଭାରତୀୟ ଦଳ ପାକିସ୍ତାନ ନ ଯିବାରୁ ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ଏଥର ବି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହାଇବ୍ରିଡ ମୋଡେଲ୍ ଆଧାରରେ କରାଯାଇପାରେ। କିନ୍ତୁ ପାକିସ୍ତାନ ଏଥିପାଇଁ ରାଜି ନୁହେଁ।
ଲାହୋରରେ ଗଦାଫି ଷ୍ଟାଡିୟମରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନକଭି ଚାମ୍ପିଅନ୍ସ ଟ୍ରଫି ପାଇଂ ଷ୍ଟାଡିୟମର ପ୍ରସ୍ତୁତି ଓ ନବୀକରଣ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ଏହି ସମୟରେ ପିସିବି ଅଧ୍ୟକ୍ଷଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଭାଗିଦାରୀ ଉପରେ ପ୍ରଶ୍ନ ହୋଇଥିଲା।
ସେ କହିଛନ୍ତି, ଭାରତୀୟ ଦଳ ଉପରେ ମୋର ପୂର୍ଣ୍ଣ ଆଶା ରହିଛି। ଏ ପର୍ଯ୍ୟନ୍ତ ସେମିତି କିଛି ଘଟି ନାହିଁ ଯେଉଁ କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ ବାତିଲ କରିବ। ଅନ୍ୟଥା ସମସ୍ତ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଆସିବେ। କଣ ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ ପାକିସ୍ତାନ ଗସ୍ତ ବେଳେ ତାଙ୍କ ସହ ଭେଟିବା ପାଇଁ ଉତ୍ସୁକ। ନକଭି କହିଛନ୍ତି, ଏ ପର୍ଯ୍ୟନ୍ତ ତାଙ୍କ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ନାହିଁ।