ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଯନ୍ତ୍ରଣା କେତେ ଭାରତୀୟଙ୍କ ଆଘାତ ଦେଇଛି ତାହା କ୍ରିକେଟ୍ ଏସିଆ କପରୁ ସ୍ପଷ୍ଟ ହୋଇସାରିଛି । କୌଣସି ପରିସ୍ଥିତିରେ ଆଉ ପାକିସ୍ତାନର ହରକତକୁ ସହ୍ୟ କରାଯିବ ନାହିଁ, ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି । ଭାରତୀୟଙ୍କ ପାଇଁ ଏକ ଟ୍ରଫିରୁ ଉର୍ଦ୍ଧ୍ୱରେ ଜାତୀୟ ସ୍ୱାର୍ଥ ଏବଂ ସ୍ୱାଭିମାନ ତାହା କ୍ରିକେଟରମାନେ ସନ୍ଦେଶ ଦେଇଛନ୍ତି । ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି କଣ ସତରେ ଟିମ୍ ଇଣ୍ଡିଆ ବିନା ଟ୍ରଫିରେ ଭାରତ ଫେରିବ ନାଁ ଆୟୋଜକ ଉକ୍ତ ଟ୍ରଫିକୁ ରଖିବେ ।
ଏସିଆ କପ୍ ଫାଇଲାନ ମଇଦାନରେ ଅପରନେସ ସିନ୍ଦୂରର ଝଲକ ଦେଖିବାକୁ ମିଳିଥିଲା । ଧୂଆଁଧାର ବ୍ୟାଟିଂ ଏବଂ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା ବିପକ୍ଷ ପାକିସ୍ତାନୀ ଟିମ୍ । ଆଉ ଏସିଆ କପକୁ ନିଜ ଅକ୍ତିଆରକୁ ଆଣି ପହଲଗାମର ପ୍ରତିଶୋଧ ନେଇଥିଲା ଭାରତ । କିନ୍ତୁ ପୁରସ୍କାର ବିତରଣ ସମୟରେ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ଭାରତୀୟ ଟିମ୍ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନର ମୋହସିନ ନକବୀଙ୍କଠାରୁ ଟ୍ରଫି ନେବାକୁ ସିଧାସଳଖ ମନା କରିଦେଇଥିଲେ । ଭାରତୀୟ ଖେଳାଳୀ ଟ୍ରଫି ନେଲେ ନାହିଁ, ଶେଷରେ ନକବୀ ନିଜେ ଟ୍ରଫିକୁ ନିଜ ସାଥିରେ ନେଇ ଚାଲିଯାଇଥିଲେ । ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଟ୍ରଫିକୁ ନେଇ ମଧ୍ୟ ନିୟମ ରହିଛି । ଆଇସିସିର ନିୟମାନୁସାରେ କୌଣସି ବିଜେତା ଦଳର ଟ୍ରଫିକୁ କୌଣସି ଆୟୋଜକ ରଖିପାରିବେ ନାହିଁ । ବିଜେତା ଟିମର ଅଧିକାରୀଙ୍କୁ ଉକ୍ତ ଟ୍ରଫି ହସ୍ତାନ୍ତର କରିବାକୁ ପଡ଼ିବ ।
ସେହିପରି ଆଇସିସିର ଆଉ ଏକ ନିୟମ ଅନୁସାରେ ବିଜେତା ଟିମ୍ କିଛି ସମୟ ପାଇଁ ଟ୍ରଫିକୁ ନିଜ ପାଖରେ ରଖିବେ । ଏହା ପରେ ସେମାନଙ୍କୁ ଉକ୍ତ ଟ୍ରଫିର ଆଉ ଏକ ଅବିକଳ ଟ୍ରଫି ପ୍ରଦାନ କରାଯିବ ଏବଂ ଅସଲି ଟ୍ରଫିକୁ ଫେରାଇ ଦିଆଯିବ ।
ଯଦି କୌଣସି ଟିମ୍ କୌଣସି ବ୍ୟକ୍ତିଠାରୁ ଟ୍ରଫି ନେବାକୁ ମନା କରନ୍ତି ସେଥିରେ କଣ ଦଣ୍ଡ ବିଧାନ ରହିଛି ତାହାର କୌଣସି ଲିଖିତ ନିୟମ ଆଇସିସି ତିଆରି କରିନାହିଁ । ଗତକାଲି ଭାରତ ଟ୍ରଫି ନେବାକୁ ମନା କରିନଥିଲା, ମାତ୍ର ଗୋଟିଏ ସର୍ତ୍ତ ସେମାନେ ପୂର୍ବରୁ ସ୍ପଷ୍ଟ କରିଥିଲେ ଯଦି ଟିମ୍ ବିଜୟୀ ହୁଏ ସେମାନେ ପାକିସ୍ତାନ ମନ୍ତ୍ରୀ ତଥା ଏସିସି ଅଧ୍ୟକ୍ଷ ମୋହସିନ ନକବୀଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ । ଅନ୍ୟ ଯେଉଁ ବି ସଦସ୍ୟ ଟ୍ରଫି ଦେବେ ସେମାନେ ନେବାକୁ ପ୍ରସ୍ତୁତ ।