ଭାରତ ବନାମ ଅଷ୍ଟ୍ରେଲିଆ: ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ !
Khabar Odisha:sports--cricket--odisha-virat-kohli-one-ton-away-from-matching-sachin-tendulkars-feat-at-home
ମୁମ୍ବାଇ, ଜାନୁଆରୀ୧୩(ଖବର ଓଡ଼ିଶା):

 ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ କିଛି ନା କିଛି ରେକର୍ଡ ନିଜ ନାମରେ କରି ଚାଲିଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରେ କୋହଲିଙ୍କ ପାଖରେ ଘରୋଇ ମାଟିରେ ସବୁଠୁ ଅଧିକ ଶତକ ଅର୍ଜନ କରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିବ। 

ଦିନିକିଆ ଫର୍ମାଟରେ ତେନ୍ଦୁଲକର ମୋଟ୍ ୪୯ ଶତକ ଅର୍ଜନ କରିଛନ୍ତି। ଏଥିରୁ ୨୦ଟି ଶତକ ସେ ଭାରତ ମାଟିରେ ହାସଲ କରିଛନ୍ତି। କୋହଲି ଦିନିକିଆ କ୍ରିକେଟରେ ଅଦ୍ୟାବଧି ୪୩ ଶତକ ହାସଲ କରି ସାରିଛନ୍ତି। ଏଥିରେ ୧୯ ଶତକ ଘରୋଇ ପଡ଼ିଆରେ ଅର୍ଜନ କରିଛନ୍ତି। ଓ୍ଵାଙ୍ଖେଡ଼ାରେ ତାଙ୍କ ପାଖରେ ସଚିନଙ୍କ ଏହି ରେକର୍ଡର ସମକକ୍ଷ କରିବାର ସୁଯୋଗ ରହିଛି। ଯଦି କୋହଲି ଏହି ଶୃଙ୍ଖଳାରେ ଦୁଇଟି ଶତକ ହାସଲ କରନ୍ତି ତେବେ ସଚିନଙ୍କ ଏହି ରେକର୍ଡ ଭାଙ୍ଗି ପାରିବେ। 

କୋହଲି ନିକଟରେ ସବୁଠୁ କମ ଇନିଂସରେ ଅଧିନାୟକ ରୂପେ ୧୧୦୦୦ ରନ କରିବା ବ୍ୟାଟସମ୍ୟାନ ହୋଇଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଏହି ଉପଲବ୍ଧି ହାସଲ  କରିଥିଲେ। 

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ। ଏହା ପରେ ୧୭ ତାରିଖରେ ରାଜକୋଟ୍ ଓ ୧୯ରେ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ, ଆମେ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ।

Subscribe

National International State Sports Entertainment