ଶୁଭକାମନା ଜଣାଇଲେ ବିରାଟ କୋହଲି, ଟ୍ରଫି ଜିତି ଘରକୁ ନେଇ ଆସ ୧୯ ବର୍ଷରୁ କମ ବିଶ୍ଵ କପ୍ ଦଳ
Khabar Odisha:sports--cricket--odisha-u19-world-cup-virat-kohli-wishes-for-indian-team-before-final-against-bangladesh
ନୂଆଦିଲ୍ଲୀ, ଫେବୃଆରୀ୦୯ (ଖବର ଓଡ଼ିଶା):

ଭାରତୀୟ ବରିଷ୍ଠ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୧୯ ବର୍ଷରୁ କମ ବିଶ୍ଵ କପ୍ ପାଇଁ ଦଳକୁ ଶୁଭକାମନା ଜଣାଇଛନ୍ତି। ଭାରତୀୟ ଦଳ ପଞ୍ଚମ ଥର ୧୯ ବର୍ଷରୁ କମ ବିଶ୍ଵ କପ୍ ଟ୍ରଫି ଜିତିବାରେ କେବଳ ଗୋଟିଏ ପାଦ ଦୂରରେ ରହିଛି। ଆଜି ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଛି। ଏହା ପୂର୍ବରୁ ବିରାଟ କୋହଲି ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି।

ବିରାଟ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ୍ ଦଳକୁ ମୋର ଶୁଭକାମନା। ଆପଣଙ୍କ ପଛରେ ଦେଶ ଛିଡ଼ା ହୋଇଛି, ଟ୍ରଫି ଜିତି ଘରକୁ ନେଇ ଆସନ୍ତୁ। ଅଧିନାୟକଙ୍କ ଏହି ଟ୍ଵିଟକୁ କିଛି ମିନିଟରେ ୧.୫ ହଜାରରୁ ଅଧିକ  ଲୋକ  ରିଟ୍ଵିଟ୍ କରିଛନ୍ତି। ଏହା ବ୍ୟତୀତ ୧୨ ହଜାରରୁ ଅଧିକ ଲୋକ ଏହାକୁ  ଲାଇକ୍ କରିଛନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ୨୦୦୮ରେ ଭାରତ ୧୯ ବର୍ଷରୁ କମ ବିଶ୍ଵ କପ୍ ଜିତିଥିଲା। 

କେବେ କେବେ ଚମ୍ପିଆନ ହୋଇଛି ଭାରତ

ଭାରତ ପ୍ରଥମ ଥର ମହମ୍ମଦ କୈଫଙ୍କ ଅଧିନାୟକତ୍ଵରେ ୧୯ ବର୍ଷରୁ କମ ବିଶ୍ଵ କପ୍ ୨୦୦୦ ମସିହାରେ  ଜିତିଥିଲା। ଏହାର ୮ ବର୍ଷ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ ୧୯ ବର୍ଷରୁ  କମ ବିଶ୍ଵ କପ୍ ଚମ୍ପିଆନ ହୋଇଥିଲା, ପୁଣି ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ଵରେ ଦଳ ତୃତୀୟ ଥର ଚମ୍ପିଆନ ହେବାର ଗୌରବ ହାସଲ କରିଥିଲା। ଦୁଇ ବର୍ଷ ପୂର୍ବେ ପୃଥ୍ଵୀ ସଙ୍କ ଅଧିନାୟକତ୍ଵରେ ଭାରତ ଚତୁର୍ଥ ଥର ୧୯ ବର୍ଷରୁ କମ ବିଶ୍ଵ କପ୍ ବିଜୟୀ ହୋଇଥିଲା।

Subscribe

National International State Sports Entertainment