ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ଵ ରେକର୍ଡ଼ର ଅଧିକାରୀ ହେଲା ଭାରତ, ଆଖପାଖରେ ନାହାନ୍ତି କୌଣସି ଦଳ
Khabar Odisha:sports--cricket--odisha-india-thrash-new-zealand-in-auckland-t20i-match-records-most-200-plus-chase
ଅକଲାଣ୍ଡ, ଜାନୁଆରୀ୨୪(ଖବର ଓଡ଼ିଶା):

ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଘରୋଇ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରି ଚଳିତ ବର୍ଷ  ହେବାକୁ ଥିବା  ଟି-୨୦ ବିଶ୍ଵ କପ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ କୋଲିନ ମୁନରୋ(୫୯), ରସ୍ ଟେରଲଙ୍କ ଅପରାଜିତ(୫୪) ଓ କେନ୍ ଓ୍ଵିଲିୟମସନ(୫୧) ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା। ଜବାବରେ ଭାରତ ଲୋକେଶ ରାହୁଲ(୫୬), ବିରାଟ କୋହଲି(୪୫), ଶ୍ରେୟସ ଆୟରଙ୍କ ଅପରାଜିତ ୫୮ ବଳରେ ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ୟ୍ୟେର ୨୦୪ ରନର ବିଜୟ ଲକ୍ଷ୍ୟକୁ ୪ ଓ୍ଵିକେଟ୍ ବିନିମୟରେ ୧୯ ଓଭରରେ ହାସଲ କରି ନେଇଛି। ଏହି ବିଜୟ ସହିତ ଭାରତ ନିଜ ନାମରେ ଅନେକ ରେକର୍ଡ଼ କରିଛି। ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ତାରି ମାଟିରେ ଦ୍ଵିତୀୟ ଥର ଟି-୨୦ରେ ପରାସ୍ତ କରିଛି। କିଓ୍ଵି ଦଳ ବିପକ୍ଷରେ ଭାରତ ସବୁଠୁ ବଡ଼ ଲକ୍ଷ୍ୟକୁ  ସଫଳତାର ସହ ହାସଲ କରିଛି।

୨୦୦ରୁ ଉର୍ଦ୍ଧ୍ଵ ବିଜୟ ଲକ୍ଷ୍ୟକୁ ପିଛା କରିବାରେ ଭାରତର ବିଶ୍ଵ ରେକର୍ଡ଼

ଭାରତ ଚତୁର୍ଥ ଥର ଆନ୍ତର୍ଜାତୀୟ ଟି-୨୦ରେ ୨୦୦ କିମ୍ବା ତଦୁର୍ଦ୍ଧ ରନର ଲକ୍ଷ୍ୟକୁ ପିଛା କରିଛି। ଏହା ଏକ ବିଶ୍ଵ ରେକର୍ଡ଼। ଭାରତଠୁ ଅଧିକ କୌଣସି ଦଳ ଏଥର ଥର ୨୦୦ରୁ ଉର୍ଦ୍ଧ୍ଵ ରନର ବିଜୟ ଲକ୍ଷ୍ୟକୁ ପିଛା କରିନାହିଁ। ଭାରତ ପରେ ଦ୍ଵିତୀୟରେ ରହିଛି ଅଷ୍ଟ୍ରେଲିଆ। ଏହି ଦଳ ଦୁଇ ଥର ୨୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ପିଛା କରିଛି। ସବୁଠୁ ବଡ଼ କଥା ଭାରତ ଗତ ଦୁଇ ମାସରେ ଦୁଇ ଥର ୨୦୦ରୁ ଉର୍ଦ୍ଧ୍ଵ ରନର ବିଜୟ ଲକ୍ଷ୍ୟ  ହାସଲ କରିଛି। ୨୦୧୯ ଡିସେମ୍ବରରେ ଭାରତ ଓ୍ଵେଷ୍ଟଇଣ୍ଡିଜ ଦ୍ଵାରା ଧାର୍ୟ୍ୟ  ୨୦୮ ରନର ଲକ୍ଷ୍ୟକୁ  ହାସଲ କରିଥିଲା। 

ନ୍ୟୁଜିଲାଣ୍ଡ ବିପକ୍ଷରେ ଅକଲାଣ୍ଡ ଟି-୨୦ରେ ୨୦୪ ରନର ସ୍କୋର ଆନ୍ତର୍ଜାତୀୟ ଟି-୨୦ରେ ଦ୍ଵିତୀୟ ଇନିଂସରେ ଭାରତର ଏହା ହେଉଛି ୮ମ ୨୦୦ ରନର ସ୍କୋର। ଭାରତ ଦଳର ଏହି ରେକର୍ଡ଼ ଆଖପାଖରେ ଆଉ କୌଣସି ଦଳ ନାହାନ୍ତି। ଦ୍ଵିତୀୟ ନମ୍ବରରେ ରହିଛି ଇଂଲଣ୍ଡ। ଇଂଲଣ୍ଡ ୪ ଥର ଦ୍ଵିତୀୟ ଇନିଂସରେ ୨୦୦ରୁ ଉର୍ଦ୍ଧ୍ଵ ରନ କରିଛି। 

୫ ବ୍ୟାଟସମ୍ୟାନ କଲେ ଅର୍ଦ୍ଧଶତକ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚରେ ୫ ଜଣ ବ୍ୟାଟସମ୍ୟାନ ୫୦ରୁ ଅଧିକ ରନ କରିଛନ୍ତି, ଯାହା ଏକ ବିଶ୍ଵ ରେକର୍ଡ଼। ଏହା ପୂର୍ବରୁ କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୫ ଜଣ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ନାହାନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ(୫୯), ରସ୍ ଟେଲର(୫୪) ଓ କେନ୍ ଓ୍ଵିଲିୟମସନ(୫୧) ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଶ୍ରେୟସ ଆୟର( ୫୮ ଅପରାଜିତ) ଓ କେଏଲ ରାହୁଲ(୫୬) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

Subscribe

National International State Sports Entertainment