ଆସନ୍ତାକାଲି ପ୍ରଥମ ଟି-୨୦ ମୁକାବିଲା, ନ୍ୟୁଜିଲାଣ୍ଡରେ ଭଲ ନାହିଁ ଭାରତର ରେକର୍ଡ଼
Khabar Odisha:sports--cricket--odisha--india-vs-new-zealand-t20-at-auckland-preview-team-india-win-only-t20-match-in-new-zealand
ଅକଲାଣ୍ଡ, ଜାନୁଆରୀ୨୩(ଖବର ଓଡ଼ିଶା):

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ବିଜୟ ରଥରେ ବସିଛି। ଘରୋଇ ମାଟିରେ ଟି-୨୦ରେ ଶ୍ରୀଲଙ୍କା ଏବଂ ଦିନିକିଆରେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ଆସନ୍ତାକାଲି ଭାରତ ଟି-୨୦ ଶୃଙ୍ଖଳାର ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିବ। ଚଳିତ ବର୍ଷର ଭାରତର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ଆସନ୍ତାକାଲି ଅକଲାଣ୍ଡର ଇଡେନ ପାର୍କରେ ଭାରତ ଓ ଆୟୋଜକ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୨୦ ମିନିଟରେ ଆରମ୍ଭ ହେବ। 

ଏହି ଗସ୍ତ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳକୁ ଦିନିକିଆ ଶୃଙ୍ଖଳାରେ ମାତ୍ ଦେଇଛି। ସେହି ପରି ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାକୁ ମଧ୍ୟ ଘରୋଇ ଶୃଙ୍ଖଳାରେ ପରାଜିତ କରିଛି। ଲମ୍ବା ସମୟ ଧରି ଦଳର ବିଜୟ ଯାତ୍ରା ଅବ୍ୟାହତ ରହିଛି। ମାତ୍ର କଣ ଭାରତୀୟ ଦଳ ନିଜର ଏହି ଯାତ୍ରାକୁ ଜାରି ରଖି ପାରିବ। ଭାରତୀୟ ଦଳ ଏବେ ଭଲ ଲୟରେ ଅଛି, କିନ୍ତୁ ନ୍ୟୁଜିଲାଣ୍ଡରେ ଦଳର ରେକର୍ଡ଼ ଏହାର ଓଲଟା ରହିଛି। 

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଦଳ ମଙ୍ଗଳବାର ଅକଲାଣ୍ଡ ପହଞ୍ଚି ବୁଧବାର ଦଳ ବିଶ୍ରାମ ନେଇଛି। ଦଳ ଗୁରୁବାର ଅଭ୍ୟାସ୍ କରିଛି। ନ୍ୟୁଜିଲାଣ୍ଡ ମାଟିରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହା ହେଉଛି ପ୍ରଥମ ଟି-୨୦ ଶୃଙ୍ଖଳା। 

କେବଳ ଗୋଟିଏ ମ୍ୟାଚ୍ ଜିତି ପାରିଛି ଭାରତୀୟ ଦଳ

ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ଆୟୋଜକ ଦଳ ବିରୋଧରେ ମୋଟ୍ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିଛି। ଏଥିରୁ ଦଳ କେବଳ ଗୋଟିଏ ଜିତିବାରେ ସକ୍ଷମ ହୋଇଥିବା ବେଳେ ବାକି ମ୍ୟାଚରେ ପରାଜିତ  ହୋଇଛି। ଏହି ବିଜୟ ଭାରତକୁ ଗତ ବର୍ଷ ଫେବୃଆରୀରେ ଏହି ଅକଲାଣ୍ଡ ପଡ଼ିଆରେ ହିଁ ମିଳିଥିଲା। ଭାରତ କିଓ୍ଵି ଦଳକୁ ସାତ ଓ୍ଵିକେଟରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଗତ ବର୍ଷ ଟି-୨୦ ଶୃଙ୍ଖଳାରେ ଭ୍ରମଣକାରୀ  ଭାରତକୁ ୨-୧ରେ ହରାଇଥିଲା। ଏହି ଦଳ ଶ୍ରୀଲଙ୍କା ଗସ୍ତରେ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିଲା ଏବଂ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୨ରେ ଡ୍ର କରାଇଥିଲା। ମାତ୍ର ଅଷ୍ଟ୍ରେଲିଆ ହାତରୁ ନିକଟରେ ୩-୦ରେ ମାତ୍ ଖାଇଥିଲା। 

ରୋହିତ ଓ ରାହୁଲ କରିବେ ଓପନ

ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ହେବାର ଅଛି। ଏହା ପୂର୍ବରୁ ଦଳ ପ୍ରବନ୍ଧକଙ୍କୁ ସର୍ବଶ୍ରେଷ୍ଠ ଦଳ ଚୟନ କରିବାର ଚ୍ୟାଲେଞ୍ଜ ରହିବ। ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର ଓ ଭୁବନେଶ୍ଵରଙ୍କ ଆଘାତ ସତ୍ଵେ ବିକଳ୍ପ ଖେଳାଳି ନିଜର ପ୍ରଦର୍ଶନ ଦମରେ ଦଳକୁ ଏହି ସବୁ ଖେଳାଳିଙ୍କ ଅନୁପସ୍ଥିତିକୁ ଅନୁଭୂତ ହେବାକୁ ଦେଇ ନାହାନ୍ତି। ଧାଓ୍ଵନଙ୍କ ବିକଳ୍ପ ରୂପେ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ କରିଥିଲେ। ଏହା ପରେ ଧାଓ୍ଵନ ଫେରିବା ପରେ ତାଙ୍କ ସହିତ ଭଲ ଓପନିଂ ଭାଗିଦାରୀ କରିଥିଲେ। ଏଥର ଧାଓ୍ଵନଙ୍କ ଅନୁପସ୍ଥିତିରେ ରୋହିତ ଓ ରାହୁଲ ଇନିଂସ ଓପନ କରିବେ। 

ଅଧିନାୟକ କୋହଲି ସଙ୍କେତ ଦେଇ ସାରିଛନ୍ତି ଯେ, ବ୍ୟାଟିଂ ଓ୍ଵିକେଟ୍ କିପର ଭାବେ ରାହୁଲ ଦଳ ପାଇଁ ଲାଭପ୍ରଦ ହୋଇଛନ୍ତି। କୋହଲିଙ୍କ ଅନୁସାରେ କେଏଲ ରାହୁଲ ଦିନିକିଆ ଓ ଟି-୨୦ ଉଭୟ ଦଳରେ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବେ। ସେ ଟି-୨୦ରେ ଓପନିଂ କରିବେ ମାତ୍ର ଦିନିକିଆରେ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଏହାର ଅର୍ଥ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ରୋହିତଙ୍କ ସହିତ ପୃଥ୍ଵୀ ସ ଇନିଂସ ଓପନ କରିବେ। 

ଦଳରେ ଋଷଭ ପନ୍ତଙ୍କ ସ୍ଥାନ ବିପଦରେ

ରାହୁଲ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବାରୁ ଋଷଭ ପନ୍ତ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ମୁସ୍କିଲ ଲାଗୁଛି। ମନୀଷ ପାଣ୍ଡେ ପଞ୍ଚମ ବିଶେଷଜ୍ଞ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ ହୋଇ ପାରନ୍ତି। ଶ୍ରେୟସ ଆୟର ଚତୁର୍ଥ କ୍ରମରେ ବ୍ୟାଟିଂ କରିବେ। ପାଣ୍ଡେ, ଆୟର ଓ ପନ୍ତ ଗୁରୁବାର ନେଟରେ ଅଭ୍ୟାସ୍ କରିଛନ୍ତି। ଭାରତ ଯଦି ପାଞ୍ଚ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଏ ଏବଂ ଷଷ୍ଠ ବିକଳ୍ପ ରୂପେ ଶିବମ ଦୁବେ ବାହାରେ ବସନ୍ତି ତେବେ ପନ୍ତ ଓ ପାଣ୍ଡେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି। ଅଲରାଉଣ୍ଡର ଭାବେ ଓ୍ଵାଶିଂଟନ ସୁନ୍ଦର ଏବଂ ରବିନ୍ଦ୍ର ଜାଡ଼େଜା ବିକଳ୍ପ ଅଛନ୍ତି।

ଦଳ

ଭାରତ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଲୋକେଶ ରାହୁଲ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର।

ନ୍ୟୁଜିଲାଣ୍ଡ- ମାର୍ଟିନ ଗୁପଟିଲ, କୋଲିନ ମୁନରୋ, କେନ୍ ଓ୍ଵିଲିୟମ ସନ(ଅଧିନାୟକ), ଟିମ୍ ସେଇଫର୍ଟ(ଓ୍ଵିକେଟ୍ କିପର), ରସ୍ ଟେଲର, କୋଲିନ ଡି ଗ୍ରାଣ୍ଡହୋମ, ଡାର୍ଲି ମିଚେଲ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଇସ ସୋଢ଼ି, ବ୍ଲେୟାର ଟିକନର, ସ୍କଟ କୁଗେଲେଜିନ, ହାମିସ ବେନେଟ୍। 

Subscribe

National International State Sports Entertainment