ବିଶ୍ୱକପର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା କରିଛି ବିଶ୍ୱ ରେକର୍ଡ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୨୮ ରନ୍ର ବିଶାଳ ସ୍କୋର କରିଛି ଦକ୍ଷିଣ ଆଫ୍ରିକା ଏବଂ ୧୦୨ ରନରେ ବ୍ୟବଧାନରେ ବାଜି ମାରିଛି । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୪୨୮ ରନ କରିଥିଲା । ଯାହାକି ଆଇସିସି ବିଶ୍ୱକପ୍ ମ୍ୟାଚର ସର୍ବାଧିକ ରନ । ୪୨୮ ରନର ବିଶାଳ ରନ କରିବାରେ ତିନୋଟି ଖେଳାଳିଙ୍କ ମୁଖ୍ୟ ଭୂମିକା ରହିଥିଲା । କ୍ୱିଣ୍ଟନ ଡି’କକ୍, ରସି ଭାନ୍ ଡେର୍ ଡୁସେନ୍ ଓ ଏଇଡେନ ମାରକ୍ରମଙ୍କ ଶତକ ବଳରେ ଏହି ବିଶ୍ୱ ରେକର୍ଡ ସମ୍ଭବ ହୋଇଥିଲା । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। ଅଷ୍ଟ୍ରେଲିଆ ୨୦୧୫ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ୭ ୱିକେଟ ହରାଇ ୪୧୭ ରନ କରିଥିଲା । ଆଜି ଏହି ରେକର୍ଡକୁ ଦକ୍ଷିଣ ଆଫ୍ରିକା ଭାଙ୍ଗି ଦେଇଛି । ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ, ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର୍ ଡୁସେନ୍ ୧୧୦ ବଲରେ ୧୦୮ ରନ୍ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଛନ୍ତି । କୌଣସି ବିଶ୍ୱକପ ମ୍ୟାଚ୍ରେ ଗୋଟିଏ ଟିମର ୩ ଜଣ ବ୍ୟାଟର ଶତକ କରିବା ମଧ୍ୟ ପ୍ରଥମ ଥର ଘଟିଥିଲା । ସେହିପରି ମାର୍କମ ମଧ୍ୟ ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ମାତ୍ର ୪୯ ବଲରେ ହାସଲ କରିଛନ୍ତି । ମାର୍କମ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ ଆୟର୍ଲ୍ୟାଣ୍ତର କେଭିନ ଓ’ବ୍ରାଏନଙ୍କ ନାଁରେ ଥିଲା । ସେ ୨୦୧୧ ମସିହା ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମାତ୍ର ୫୦ ବଲରେ ଶତକ ହାସଲ କରିଥିଲେ ।
ଅଧିକ ପଢନ୍ତୁ: ସ୍ପିନ ଯାଦୁରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ