ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ସିରିଜ । ଏହି ସିରିଜ୍ ଉପରେ ସବୁ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ଏହି ସିରିଜରେ କୋହଲି କି ରୋହିତ ନୁହେଁ ବରଂ ଋଷଭ ପନ୍ତ ବଡ ଭୂମିକା ନିଭାଇବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର । ତାଙ୍କ କହିବା କଥା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଲମ୍ବା ଫର୍ମାଟରେ ସର୍ବଶ୍ରେଷ୍ଠ ଖେଳ ଅତିକ୍ରାନ୍ତ ହୋଇ ସାରିଛି ।
ମାଞ୍ଜରେକର କହିଛନ୍ତି, ଟେଷ୍ଟରେ ବିରାଟ ଓ ରୋହିତଙ୍କ ସର୍ବଶ୍ରେଷ୍ଠ ସମୟ ଅତିକ୍ରାନ୍ତ ହୋଇ ସାରିଛି । ଅଷ୍ଟ୍ରେଲିଆ ଗସ୍ତରେ ଯୁବ ଖେଳାଳିଙ୍କ ଧମାଲ ଦେଖିବାକୁ ମିଳିବ । ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡିବ । ମୋତେ ଲାଗୁଛି ଋଷଭ ପନ୍ତ ଏକମାତ୍ର ଖେଳାଳି ଯିଏ ନିଜର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି ଏବଂ ସେ ଅଷ୍ଟ୍ରେଲିଆ ମାଟିରେ ମହତ୍ୱପୂର୍ଣ୍ଣ ହୋଇ ପାରନ୍ତି ।
ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଲୟରେ ନଜର ଆସି ନ ଥିଲେ । ସେ ଚାରୋଟି ଇନିଂସରେ ମାତ୍ର ୯୯ ରନ କରିଥିଲେ । ରୋହିତ ଶର୍ମା ପୁରା ବିଫଳ ହୋଇ କେବଳ ୪୨ ରନ କରିଥିଲେ । ସୂଚନାଯୋଗ୍ୟ, ନଭେମ୍ବର ୨୨ରୁ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ୧୦ ପର୍ଯ୍ୟନ୍ତ ଆଡିଲେଡରେ ଖେଳାଯିବ । ଏହା ପରେ ବ୍ରିସବେନରେ ଡିସେମ୍ବର ୧୪ରୁ ୧୮ ତାରିଖ ଯାଏଁ ତୃତୀୟ ଟେଷ୍ଟ ଖେଳାଯିବ ।