ଚଳିତ ସିଜିନ ଆଇପିଏଲରେ ଦୁଇ ଦିନରେ ଦୁଇଟି ମ୍ୟାଚ, ଗୋଟିଏ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଭଲ ଫିଲଡିଂ ବଳରେ ମ୍ୟାଚ ଜିତିଥିବାବେଳେ ଆଉ ଗୋଟେ ମ୍ୟାଚରେ ୱିକେଟ୍ କିପରଙ୍କ ସାମାନ୍ୟ ଭୁଲ ପାଇଁ କୋଲକାତା ନାଇଟ ରାଇଡ଼ର୍ସ କୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଆଇପିଏଲର ଚଳିତ ସଂସ୍କରଣର ୧୪ ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା, ଦ୍ଵିତୀୟ ଇନିଂସରେ ଦିଲ୍ଲୀକୁ ପରାଜୟ ମୁହଁରୁ ଫେରାଇ ଆଣିଥିବା ଡେଭିଡ ମିଲର ଶେଷ ଦୁଇଟି ବଲରେ ଦୁଇ ରନ ନେବାରେ ଅସଫଳ ହୋଇଥିଲେ । ଏହି ଇନିଂସର ୧୯.୫ ତମ ବଲରେ ଏକ ସହଜ ସିଂଗିଲ ନେଇନଥିଲେ ଡେଭିଡ ମିଲର ଓ ଶେଷ ବଲ ମିଲରଙ୍କ ବ୍ୟାଟରେ ବାଜିନଥିବାବେଳେ ସିଂଗିଲ ନେଇ ମ୍ୟାଚ ବଞ୍ଚାଇବା ପାଇଁ ରନ ନେଇଥିଲେ ବଟଲର ଓ କୁଲଦୀପ । ଯଶ ବଟଲର ଭଲ ୱିକେଟ୍ କିପିଙ୍ଗର ପ୍ରଦର୍ଶନ କରି ବଲକୁ ଷ୍ଟମ୍ପସରେ ବଜାଇଥିଲେ ଓ ରନ ଆଉଟ କରି ଗୁଜୁରାଟ ମ୍ୟାଚ ଜିତିଥିଲା। । ଏହାର ଠିକ ପରଦିନ ଅର୍ଥାତ ୧୫ ତମ ମ୍ୟାଚ ଲଖନଉ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିଲା । କୋଲକାତା ଦେଇଥିବା ୧୮୨ ରନର ଲକ୍ଷ୍ୟକୁ ପିଛା କରୁଥିବାବେଳେ ଲଖନଉ ଗୋଟେ ସମୟରେ ଏକ ତରଫା ପରାଜିତ ହେଉଥିବା ନଜର ଆସୁଥିଲା, କିନ୍ତୁ ମୁକୁଲ ଚୌଧୁରୀ କିଛି ଭିନ୍ନ ଚିନ୍ତାଧାରା ନେଇ ବ୍ୟାଟିଂ କରୁଥିଲେ । ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ, ରିଷବ ପନ୍ତ ଓ ଅବଦୁଲ ସମଦଙ୍କ ୱିକେଟ୍ ପରେ ମୁକୁଲ ଚୌଧୁରୀ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରି ମ୍ୟାଚରେ ରୋମାଞ୍ଚ ଆଣିଦେଇଥିଲେ । ୨୭ ବଲରେ ୫୪ ରନ କରି ଲଖନଉ ସୁପର ଜାଏଣ୍ଟସକୁ ମ୍ୟାଚ ଜିତାଇଦେଇଥିଲେ ସତ କିନ୍ତୁ ମ୍ୟାଚରେ ଏକଦା ଆଗୁଆ ଥିବା କୋଲକାତା ପକ୍ଷରେ ମଧ୍ୟ ସୁଯୋଗ ଥିଲା ମ୍ୟାଚକୁ ଟାଏ ରେ ସମାପ୍ତ କରିବା ପାଇଁ ଓ ସୁପର ଓଭରକୁ ନେବା ପାଇଁ । ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ଶେଷ ବଲରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ବଲ ବାଜିନଥିଲା ଓ ବଲ ସିଧା ୱିକେଟ୍ କିପରଙ୍କ ହାତକୁ ଯାଇଥିଲା । ୱିକେଟ୍ କିପିଙ୍ଗ କରୁଥିବା ଅଙ୍ଗକ୍ରିସ ରଘୁବଂଶୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ ମଧ୍ୟ ବଲକୁ ଷ୍ଟମ୍ପରେ ବଜାଇବାରେ ଅସଫଳ ରହିଥିଲେ, ଯାହାର ପରିଣାମ ସ୍ୱରୂପ କୋଲକାତାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଦୁଇ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ କିନ୍ତୁ ମ୍ୟାଚରେ ଫଳାଫଳ ଭିନ୍ନ । ଗୋଟିଏ ମ୍ୟାଚ ୱିକେଟ୍ କିପରଙ୍କ ଦ୍ୱାରା ସଠିକ ଲଖ୍ୟ ବଳରେ ଗୁଜରାଟ ବିଜୟୀ ହେଲା ତ ଅନ୍ୟ ଦିନ ୱିକେଟ୍ କିପରଙ୍କ ଖରାପ ଥ୍ରୋ ପାଇଁ କୋଲକାତା ପରାସ୍ତ ହେଲା । ତେଣୁ ଅନେକ ସମୟରେ କୁହାଯାଏ, କେବଳ ବ୍ୟାଟିଂ ଓ ବୋଲିଂ ନୁହେ ବରଂ ଭଲ ଫିଲଡିଂ ବଳରେ ମ୍ୟାଚ ଜିତିହୁଏ ।