ଭାରତର ଟି-୨୦ ଦଳକୁ ଫେରିଲେ ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି । ପ୍ରାୟତଃ ଏକ ବର୍ଷ ପରେ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି । ୨୦୨୨ ନଭେମ୍ବରରେ ଟି-୨୦ ବିଶ୍ୱକପ ସେମିଫାଇନାଲରୁ ହାରିବା ପରେ ଆନ୍ତର୍ଜାତୀୟ ଟି-୨୦ ଦଳରେ ସ୍ଥାନ ପାଇନଥିଲେ ରୋହିତ ଓ ବିରାଟ । ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ରେ ରୋହିତ ଓ ବିରାଟ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ପୂର୍ବ ଭଳି ଅଧିନାୟକ ଭୂମିକାରେ ପଡିଆକୁ ଓହ୍ଲାଇବେ । କିନ୍ତୁ ଟି-୨୦ ଫର୍ମାଟର ଶ୍ରେଷ୍ଠ ଖେଳାଳି କୁହାଯାଉଥିବା ସୂର୍ୟକୁମାର ଯାଦବ ଆହତ ହେତୁ ଦଳରୁ ବାଦ ପଡିଛନ୍ତି ଏବଂ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ହେତୁ ଦଳରେ ସ୍ଥାନ ପାଇନାହାନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ଭାରତରେ ଖେଳାଯିବ । ପ୍ରଥମ ଟି-୨୦ ଜାନୁଆରୀ ୧୧ ରେ ମୋହାଲିରେ, ଦ୍ଵିତୀୟ ଟି-୨୦ ଜାନୁଆରୀ ୧୪ ରେ ଇନ୍ଦୋର ଓ ତୃତୀୟ ଟି-୨୦ ଜାନୁଆରୀ ୧୭ ରେ ବେଙ୍ଗାଲୁରୁରେ ଖେଳାଯିବ ।
ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ଗୁଡିକ ବେଶ ଗୁରୁତ୍ୱପୂର୍ଣ୍ଣ । ଆଫଗାନିସ୍ତାନ ବିପକ୍ଷ ଟି-୨୦ ରେ ରୋହିତ ଓ ବିରାଟ ଦୀର୍ଘ ସମୟ ବ୍ୟବଧାନରେ ଖେଳିବେ, ତେଣୁ ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କର ନଜର ରହିବ । ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି । ତେଣୁ ଭାରତୀୟ ଖେଳାଳି ମାନେ ଟି-୨୦ ମ୍ୟାଚ ଗୁଡିକ ଉପରେ ଗୁରୁତ୍ୱ ଦେବେ ବୋଲି ଆଶାକରାଯାଉଛି । ଏହା ଛଡା ବିଶ୍ୱକପ ପୂର୍ବରୁ ଆଇପିଏଲ ମଧ୍ୟ ଖେଳାଯିବ ଯାହାକୁ ନେଇ ଦଳ ଘୋଷଣା ହୋଇପାରେ ବୋଲି କ୍ରୀଡା ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।
ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ୟଶସ୍ଵୀ ଜେସୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂ, ଜୀତେଶ ଶର୍ମା, ସଞ୍ଜୁ ଶାମସନ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅକ୍ସର ପଟେଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଆବେଶ ଖାନ, ମୁକେଶ କୁମାର
ଅଧିକ ପଢ଼ନ୍ତୁ : ଭୋପାଳରେ ଆୟୋଜିତ ସ୍ୱତନ୍ତ୍ର ଟୁର୍ନାମେଣ୍ଟ, ବିଜେତା ଦଳ କରିବ ଅଯୋଧ୍ୟା ପରିଦର୍ଶନ