ଖବର ଓଡ଼ିଶା: ଆଗକୁ ହେବାକୁ ଥିବା ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପାରା ବାଡମିଣ୍ଟନ ଖେଳାଳୀ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ତଥା ଭାରତ ଷ୍ଟାର ବାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ନିଲମ୍ବନ କରାଯାଇଛି । ଆଣ୍ଟି ଡୋପିଂ ମାମଲାରେ ତାଙ୍କୁ ୧୮ ମାସ ପାଇଁ ଖେଳରୁ ନିଲମ୍ବନ କରାଯାଇଛି । ଏହାର ଅର୍ଥ ସେ ଆଗକୁ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇ ପାରିବେ ନାହିଁ ।
ବାଡ଼ମିଣ୍ଟନ ୱାର୍ଲ୍ଡ ଫେଡେରେସନ ପ୍ରମୋଦ ଭଗତଙ୍କ ନିଲମ୍ବନ ନେଇ ସୂଚନା ଦେଇଛି । ବିଡବ୍ଲୁଏଫ୍ ର ସୂଚନା ମୁତାବକ, ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୧୮ ମାସ ଯାଏଁ ବାସନ୍ଦ କରାଯାଇଛି, ଏହାର ଅର୍ଥ ସେ ଆଉ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ । କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ (କାସ୍) ୧୨ ମାସ ଭିତରେ ୩ ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଥିବାରୁ ପ୍ରମୋଦ ଭଗତଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ୨୦୨୪ ମାର୍ଚ୍ଚ ୧ରେ କାସ୍ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ଆଧାରରେ ତାଙ୍କୁ ବାସନ୍ଦ କରିଛି । ତାଙ୍କ ତରଫରୁ ନିଲମ୍ବନ ହଟାଇବାକୁ ଆବେଦନ କରାଯାଇଥିଲେ ମଧ୍ୟ ଗତ ଜୁଲାଇ ୨୯ରେ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି ।
ପ୍ରମୋଦ ଭଗତ ନିଲମ୍ବିତ ହେବା ପରେ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଅଗଷ୍ଟ ୨୮ରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ପାରା ଅଲିମ୍ପିକ୍ସ ଆୟୋଜିତ ହେବ । ଫଳରେ ସେ ଆଉ ଏଥିରେ ଭାଗ ନେଇ ପାରିବେ ନାହିଁ । ଟୋକିଓ ୨୦୨୦ ପାରା ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଇତିହାସ ସୃଷ୍ଟି କରିଥିଲେ । ସେ ପ୍ରଥମ ଭାରତୀୟ ଖେଳାଳୀ ଭାବେ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।