ଅଷ୍ଟ୍ରେଲିଆ ସହ ଦ୍ଵିତୀୟ ଦିନିକିଆରେ ଭାରତର ବିଜୟ ସହ ସିରିଜ ଜିତିଯାଇଛି ଭାରତ । ଏବେ ଲଖ୍ୟ ରହିଲା ଶେଷ ଦିନିକିଆ ଜିତି ଅଷ୍ଟ୍ରେଲିଆକୁ ୩-୦ ରେ ପରାସ୍ତ କରିବା । ଶେଷ ଦିନିକିଆରେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟିମ୍କୁ ଫେରିଆସିଥିବେ । ଏହା ଖୁସି ଖବର ଥିଲେ ମଧ୍ୟ ଭାରତ ପାଇଁ ଚିନ୍ତାର ବିଷୟ । କାରଣ ଭାରତର ସବୁ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରୁଛନ୍ତି । ୨ୟ ଦିନିକିଆରେ କେବଳ ଋତୁରାଜ ଗାଇକୱାଡଙ୍କୁ ଛାଡିଲେ ସମସ୍ତେ ଉନ୍ନତମାନର କ୍ରିକେଟ ଖେଳିଥିଲେ, ଯାହାଫଳରେ ଭାରତ ୩୯୯ ରନର ବିଶାଳ ସ୍କୋର ଛିଡା କରିଥିଲା । ଶେଷ ଦିନିକିଆରେ କିଏ ବାଦ ପଡିବ ତା ନେଇ ଚିନ୍ତାରେ ଭାରତୀୟ ଅଧିନାୟକ ଓ ଚୟନକର୍ତ୍ତା । ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୩ଟି ୱିକେଟ୍ ନେଇ ନିଜ ଉପସ୍ଥିତିର ପ୍ରମାଣ ଦେଇଛନ୍ତି ଏବଂ ଭାରତୀୟ ବିଶ୍ୱକପ୍ ଦଳରେ ନିଜ ସ୍ଥାନ ପାଇଁ ଦାବି ରଖିଛନ୍ତି । ଯଦି ଅକ୍ସର ପଟେଲ ବିଶ୍ୱକପ୍ ପାଇଁ ଫିଟ୍ ନ ହୁଅନ୍ତି ତେବେ ଦଳରେ ଅଶ୍ୱିନଙ୍କୁ ସ୍ଥାନ ମିଳିବ ବୋଲି ଆଶା ରଖୁଛନ୍ତି କ୍ରୀଡ଼ାପ୍ରେମୀ । ତେବେ କେ.ଏଲ୍. ରାହୁଲ, ଶ୍ରେୟସ ଆୟର ଏବଂ ସୂର୍ୟ କୁମାର ଯାଦବଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଭଲ ସଂକେତ । ଚଳିତ ବର୍ଷ ବିଶ୍ୱକପ୍ ଭାରତରେ ଖେଳାଯିବାକୁ ଯାଉଛି, ଯାହାକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତେ । ଶେଷ ଥର ୨୦୧୧ରେ ଭାରତରେ ଖେଳାଯାଇଥିବା ବିଶ୍ୱକପ୍କୁ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଜିତିବାରେ ସଫଳ ହୋଇଥିଲା । ଚଳିତ ବର୍ଷ ବିଶ୍ୱକପ୍କୁ ଭାରତକୁ ଫେରାଇ ଆଣିବାକୁ ଆଶା ରଖିଛନ୍ତି ଦେଶବାସୀ ।
ଅଧିକ ପଢନ୍ତୁ: ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଲା ଭାରତ