ଆରମ୍ଭ ହେବାକୁ ଯାଉଛି ଏସିଆ କପର ୧୬ତମ ସଂସ୍କରଣ । ଆଉ କେଇଟା ଦିନ ବାକି ରହିଲା, ଅଗଷ୍ଟ ୩୦ରେ ଆରମ୍ଭ ହେବ ଏସିଆ କପର ପ୍ରଥମ ମ୍ୟାଚ । ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ହେବାର ଥିବାବେଳେ ସେପ୍ଟେମ୍ବର ୨ରେ ହେବ ବଡ ମୁକାବିଲା, ପାକିସ୍ତାନକୁ ଭେଟିବ ଭାରତ । ଏସିଆ କପର ସବୁଠୁ ଧମାକେଦାର ମ୍ୟାଚ ହେବାର ଅନୁମାନ କରାଯାଉଛି । ଭାରତ ପାକିସ୍ତାନ କ୍ରିକେଟ ଇତିହାସର ଦୁଇ ବଡ ପ୍ରତିଦ୍ବନ୍ଦୀ ହୋଇଥିବାବେଳେ ଚଳିତ ବର୍ଷ ଏସିଆ କପର ଫାଇନାଲରେ ଦୁଇ ଟିମର ଲଢେଇ ଦେଖିବାକୁ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ । ୧୫ଟି ଏସିଆ କପରେ ଭାରତ ସର୍ବାଧିକ ୭ଥର ବିଜେତା ହୋଇଥିବା ବେଳେ ଶ୍ରୀଲଙ୍କା ୬ଥର ବିଜେତା ହୋଇଛି ଏବଂ ପଡୋଶୀ ପାକିସ୍ତାନ ୩ଥର ବିଜେତା ହୋଇଛି ।
ଘୋଷଣା ହୋଇଛି ଭାରତୀୟ ଦଳ, ଆଉ ଏଥିରୁ ବାଦ ପଡ଼ିଥିଲେ କିଛି ଖେଳାଳି । ଆଉ ଦଳରେ ସାମିଲ ଥିବା ଖେଳାଳିଙ୍କ ଫିଟନେସକୁ ନେଇ ମଧ୍ୟ ଦ୍ଵନ୍ଦ ରହିଛି । ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନଥିବା ଜଣା ପଡିଥିବାବେଳେ ପ୍ରଥମ କିଛି ମ୍ୟାଚରୁ ମଧ୍ୟ ବାଦ ପଡିପାରନ୍ତି । ଶ୍ରେୟସ ଆୟାର ମଧ୍ୟ ଆଘାତରୁ ଫେରୁଛନ୍ତି ଆଉ କୌଣସି ମ୍ୟାଚ ମଧ୍ୟ ଖେଳିନାହାନ୍ତି । କିନ୍ତୁ ଭଲ ଖବର ଯେ ବୁମରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ କିଛି ଦିନ ପୂର୍ବରୁ ଖେଳାଯାଇଥିବା ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । କିଛି ମାସ ହେବ ଭାରତୀୟ ଦଳରେ ସାମିଲ ଥିବା ତିଲକ ବର୍ମାଙ୍କୁ ମଧ୍ୟ ସୁଯୋଗ ମିଳିଛି । ଯୁବ ଖେଳାଳି ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଥିବାରୁ ପ୍ଲେଇଙ୍ଗ ୧୧ ରେ ମଧ୍ୟ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି । ପାକିସ୍ତାନ ଏବଂ ଆଫଗାନିସ୍ତାନର ଦିନିକିଆ ସିରିଜ ଶେଷ ହୋଇଛି ଯେଉଁଥିରେ ପାକିସ୍ତାନ ୩-୦ରେ ବାଜି ମାରିଛି । ପାକିସ୍ତାନ ଭଲ ଫର୍ମରେ ଥିବା ଜଣାପଡୁଥିବା ବେଳେ ଆଫଗାନିସ୍ତାନ ମଧ୍ୟ କଡା ଟକ୍କର ଦେବ । ଏହା ବ୍ୟତୀତ ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶ ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତି ।
ଅଧିକ ପଢନ୍ତୁ: ଏସିଆ କପ୍ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ