ନୂଆଦିଲ୍ଲୀ:ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୨୫ ପାଇଁ ନିଲାମ ତାରିଖ ଓ ସ୍ଥାନ ଘୋଷଣା ହୋଇ ସାରିଛି । ଏହି କ୍ରମରେ ଖେଳାଳିଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ତେବେ ଚଳିତ ଆଇପିଏଲ ମେଗା ଅକ୍ସନ୍ ରେ ଇଂଲଣ୍ଡ କ୍ରିକେଟର୍ ବେନ୍ ଷ୍ଟୋକଙ୍କ ନାମ ନ ଥିବା ଜଣାପଡ଼ିଛି । ସେ ନିଜର ନାମ ଆଇପିଏଲ ପାଇଁ ପଞ୍ଜିକୃତ କରି ନ ଥିବା କୁହାଯାଇଛି । ମାତ୍ର ଇଲଣ୍ଡର ଅନେକ ଖେଳାଳୀ ଚଳିତ ଆଇପିଏଲ୍ ପାଇଁ ନିଜ ନାମକୁ ପଞ୍ଜିକୃତ କରିଛନ୍ତି । ଯଦି ବେନ୍ ଏଥର ଆଇପିଏଲ ଅକ୍ସନରେ ଅଂଶ ଗ୍ରହଣ ନ କରନ୍ତି, ତେବେ ସେ ଆଗାମୀ ୨୦୨୬ରେ ତାଙ୍କୁ ନିଷିଦ୍ଧ କରି ଦିଆଯାଇପାରେ । ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ତେବେ ଚଳିତ ଆଇପିଏଲ୍ ମେଗା ଅକ୍ସନ୍ ପାଇୱ ୧୫୭୪ ଖେଳାଳୀଙ୍କ ତାଲିକା ପ୍ରକାଶ ପାଇଛି । ଏହା ସହିତ ସେମାନଙ୍କ ମୂଳ ରାଶି (ବେସ୍ ପ୍ରାଇସ୍) ମଧ୍ୟ ସାମ୍ନାକୁ ଆସିଛି । ଋଷଭ ପନ୍ତ, କେଏଲ ରାହୁଲ, ଶ୍ରେୟସ୍ ଆୟର, ରବି ଚନ୍ଦ୍ରନ ଅଶ୍ୱୀନ, ଯୁଜବେନ୍ଦ୍ର ଚହଲଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି । ରବି ଚନ୍ଦ୍ରନ ଅଶ୍ୱୀନ ଓ ଯୁଜବେନ୍ଦ୍ର ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ମୁକ୍ତ କରିଦେଇଛି ।
ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ ମିଚେଲ୍ ଷ୍ଟାର୍କ ମଧ୍ୟ ନିଜ ବେସ୍ ପ୍ରାଇସ୍ ୨ କୋଟି ରଖିଛନ୍ତି । ଗତ ୨୦୨୪ରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪.୫୦ କୋଟି ଟଙ୍କାରେ କିଣିଥିଲା । ସେହିପରି ଇଣ୍ଡିଆନ୍ ବୋଲର୍ ମହମ୍ମଦ ଶାମି ଏବଂ ଜୋଫ୍ରା ଆର୍ଚର ମଧ୍ୟ ପୁଣି ଆଇପିଏଲକୁ ଫେରିଥିବାବେଳେ ଦୁଇ ଜଣଙ୍କର ବେସ୍ ପ୍ରାଇସ୍ ୨ କୋଟି ରହିଛି । ୨୦୨୩ରେ ଜୋଫ୍ରା ଆର୍ଚର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ଅନ୍ୟପକ୍ଷେ ଶାମି ୨୦୨୩ ବିଶ୍ୱ କପ୍ ପରେ ଆଉ କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଗୁଜୁରାଟ୍ ଟାଇଟନ୍ସ ମଧ୍ୟ ତାଙ୍କୁ ଆଉ ଦଳକୁ ନେଇ ନ ଥିଲା । ମାତ୍ର ସେ ପୁଣି ଥରେ ନିଜ ନାଁ ଦାଖଲ କରିଛନ୍ତି ।
୨ କୋଟିରେ କେଉଁ ଭାରତୀୟ ଖେଳାଳୀ ?
ଋଷଭ ପନ୍ତ, କେଏଲ ରାହୁଲ, ଶ୍ରେୟସ୍ ଆୟର, ରବି ଚନ୍ଦ୍ରନ ଅଶ୍ୱୀନ, ଯୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ଦୀପକ ଚାହର, ଭେଙ୍କଟେଶ୍ ଆୟର, ଇଶାନ କିଶନ, ଭୁବନେଶ୍ୱର କୁମାର, ଟି ନଟରାଜନ, କୃଣାଲ ପାଣ୍ଡ୍ୟା, ହର୍ଷଲ ପଟେଲ୍, ୱାଶିଂଟନ୍ ସୁନ୍ଦର, ଶାର୍ଦୁଲ ଠାକୁର, ମହମ୍ମଦ ଶିରାଜ ଏବଂ ଉମେଶ ଯାଦବ ପ୍ରମୁଖ ରହିଛନ୍ତି ।
ଅନ୍ୟପକ୍ଷେ ପୃଥ୍ୱୀ ଶ ଓ ସରଫରାଜ୍ ଖାନଙ୍କ ବେସ୍ ପ୍ରାଇସ୍ ୭୫ ଲକ୍ଷ ରହିଛି । ସେମାନଙ୍କୁ ଗତ ଆଇପିଏଲରେ କେହି ନେଇ ନ ଥିଲେ । ୨୦୧୪ ପରେ କୌଣସି ଟି-୨୦ କିମ୍ବା ଆଇପିଏଲ୍ ଖେଳି ନ ଥିବା ଇଲଣ୍ଡର ଦ୍ରୁତ ବୋଲର୍ ଜେମସ୍ ଏଣ୍ଡରସନ୍ ପ୍ରଥମ ଥର ପାଇଁ ଆଇପିଏଲ ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ତାଙ୍କର ବେସ୍ ପ୍ରାଇସ୍ ୧.୨୫ କୋଟି ରହିଛି ।
ଆଇପିଏଲ ମିନି ଅକ୍ସନର ବଦଳିଲା ନିୟମ
ଏ ବର୍ଷ ଆଇପିଏଲ ମିନି ଅକ୍ସନ ନିୟମକୁ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ନିୟମ ମୁତାବକ ଯେଉଁ ବିଦେଶୀ ଖେଳାଳିମାନେ ମେଗା ଅକ୍ସନରେ ଅଂଶ ଗ୍ରହଣ ନ କରିବେ ସେମାନଙ୍କୁ ମିନି ଅକ୍ସନରେ ପଞ୍ଜିକରଣ କରିବାକୁ ଅନୁମତି ମିଳିବ ନାହିଁ ।
୧୨୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବେ ଟିମ୍ ମାଲିକ
ପ୍ରତ୍ୟେକ ଟିମ୍ ଖେଳାଳିଙ୍କୁ କିଣିବାକୁ ନିଜ ସୁଟକେସର ୧୨୦ କୋଟି ରଖିପାରିବେ, କିନ୍ତୁ ରିଟେନ୍ସନ୍ ପରେ । ପଞ୍ଜାବ କିଙ୍ଗସ୍ ସର୍ବାଧିକ ୧୧୦.୫ କୋଟି ଟଙ୍କା ଖର୍ଚ୍ଚ କରିପାରିବ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (୮୩ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୭୩କୋଟି), ଗୁଜୁରାଟ ଟାଇଟନ୍ସ (୬୯ କୋଟି), ଲକ୍ଷ୍ନୌ ସୁପର୍ ଜାୟଣ୍ଟସ୍ (୬୯ କୋଟି), ଚେନ୍ନାଇ ସୁପର କିଙ୍ଗ୍ସ (୫୫କୋଟି), କେକେଆର୍ (୫୧ କୋଟି), ମୁମ୍ବାଇ ଇଣ୍ଡିଆନ୍ସ (୪୫ କୋଟି), ସନରାଇଜର୍ସ ହାଇଦରାବାଦ (୪୫କୋଟି) ଏବଂ ରାଜସ୍ଥାନ ରୟାଲ୍ସ (୪୧କୋଟି) ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।