ଚାମ୍ପିୟାନ୍ସ ଟ୍ରଫି ୨୦୨୫ରେ ବିଜେତା ହେବା ପରେ ଭାରତୀୟ ଦଳ ଉପରକୁ ହେଉଛି ଟଙ୍କା ବର୍ଷା । ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିଆଇ ଆଇସିସି ଚାମ୍ପିୟାନ୍ସ ଟ୍ରଫି ବିଜେତା ପାଇର୍ ଭାରତକୁ ୫୮ କୋଟିର ନଗଦ ରାଶୀ ଦେବାକୁ ଘୋଷଣା କରିଛି ।
ଦୁବାଇରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ୱରେ ମାତ୍ର ୯ ମାସ ମଧ୍ୟରେ ଆଇସିସି ଦ୍ୱିତୀୟ ଟାଇଟଲ ହାସଲ କରିଛି ଭାରତ। ବାଂଲାଦେଶ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିଜୟ ସହ ଫାଇନାଲରେ ଟିମ୍ ଇଣ୍ଡିଆ ୪ଟି ଦୃଢ଼ ବିଜୟ ହାସଲ କରି ନିଜର ଦବଦବା ପ୍ରଦର୍ଶନ କରିଛି।
ତେବେ ବିସିସିଆଇ ଏଥିପାଇଁ ୫୮ କୋଟିର ନଗଦ ରାଶୀ ଘୋଷଣା କରିଛି । ଏନେଇ ବସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ କହିଛନ୍ତି ଯେ ନଗଦ ପୁରସ୍କାର କେବଳ ଖେଳାଳି ନୁହଁନ୍ତି, କୋଚିଂ ଏବଂ ସହଯୋଗୀ ଷ୍ଟାଫଙ୍କ ଅବଦାନ ପାଇଁ ଦିଆଯିବ । ଭାରତକୁ ଅନ୍ତର୍ଜାତୀୟ କ୍ରିକେଟରେ ସଫଳତା ଆଣିଥିବା ଭାରତୀୟ ଦଳକୁ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
କାହାକୁ ମିଳିବ କେତେ?
- ବିଜେତା ଦଳରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ୩ କୋଟି ଟଙ୍କା ଲେଖାଏଁ
- ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ୩ କୋଟି ଟଙ୍କା
- ପ୍ରଶିକ୍ଷକ ରିଆନ୍ ଟେନ୍ ଡୋଚାଟେ, ଅଭିଷେକ ନାୟାର, ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଏବଂ ବୋଲିଂ କୋଚ୍ ମର୍ନେ ମର୍କେଲଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ
- ସମସ୍ତ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ
- ଦଳର ସଫଳତାରେ ସମ୍ପୃକ୍ତ ବିସିସିଆଇ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ
ଚାମ୍ପିୟନ ହେବା ପରେ ବିଜେତା ଭାରତୀୟ ଦଳକୁ ମଧ୍ୟ ପୁରସ୍କାରରାଶି ଆକାରରେ ଟଙ୍କା ଦିଆଯାଇଥିଲା। ଭାରତୀୟ ଦଳ ୨.୪ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧୯.୫ କୋଟି ଟଙ୍କା ପାଇଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗତ ଥର ତୁଳନାରେ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ୫୩ ପ୍ରତିଶତ ବୃଦ୍ଧି କରିଥିଲା। ଏହି ଟୁର୍ନାମେଣ୍ଟର ମୋଟ ପୁରସ୍କାର ରାଶି ୬.୯ ମିଲିୟନ ଡଲାର (ପ୍ରାୟ ୬୦ କୋଟି ଟଙ୍କା) କୁ ବୃଦ୍ଧି ପାଇଛି ।