ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମ୍. ନଜମୁଲ ଇସ୍ଲାମଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱରୁ ମୁକ୍ତ କରାଯାଇଛି । ବିସିବି ଅଧ୍ୟକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।
ବିସିବି ସ୍ପଷ୍ଟ କରିଛି ଯେ ବିସିବି ନିୟମର ଅନୁଚ୍ଛେଦ ୩୧ ଅନୁସାରେ ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଅଧିକାର ଆଧାରରେ ନିଆଯାଇଛି । ବିସିବି ଅଧ୍ୟକ୍ଷ ନିଜେ ଫାଇନାନ୍ସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ଦାୟିତ୍ୱ ସମ୍ପାଦନ କରିବେ । ବୋର୍ଡକୁ ପ୍ରଭାବୀ ଏବଂ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୋର୍ଡ କହିଛି ଖେଳାଳୀଙ୍କ ହିତ ସର୍ବ ପ୍ରଥମେ । ବିସିବି ସମସ୍ତ ଖେଳାଳୀଙ୍କ ସମ୍ମାନ, ଗୌରବ ଏବଂ ଅଧିକାରର ସୁରକ୍ଷା ଦେବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଟେ । ଖେଳାଳୀମାନେ ବାଂଲାଦେଶ ପ୍ରିମିୟର ଲିଗରେ ଅଂଶ ଗ୍ରହଣ କରିବେ ଏବଂ ଦେଶରେ କ୍ରିକେଟର ଭବିଷ୍ୟତ ପାଇଁ ଯୋଗଦାନ ଦେବେ ବୋଲି ବିସିବି ଆଶା ରଖିଛି ।
ଏମ୍. ନଜମୁଲ ଇସ୍ଲାମ ବାଂଲାଦେଶର ପୂର୍ବତନ ଅଧିନାୟକ ତମୀମ ଇକବାଲଙ୍କୁ “ଇଣ୍ଡିଆ ଏଜେଣ୍ଟ” ବୋଲି କହିଥିଲେ । ଯାହାକୁ ନେଇ ବିବାଦ ବଢ଼ିଯାଇଥିଲା । କ୍ରିକେଟର୍ସ ୱେଲଫେୟାର୍ ଆସୋସିଏସନ୍ ଅଫ୍ ବାଂଲାଦେଶ ବା ସିଡବ୍ଲ୍ୟୁଏବି ନଜମୁଲଙ୍କ ଏଭଳି ବୟାନକୁ କଡ଼ା ନିନ୍ଦା କରିଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା ।
ଏହା ପୂର୍ବରୁ ମଧ୍ୟ ସମସ୍ତ ଖେଳାଳୀ ନଜମୁଲଙ୍କ କାର୍ଯ୍ୟପନ୍ଥାକୁ ନେଇ ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ତାଙ୍କ ବହିଷ୍କାର ଦାବି କରିଥିଲେ । ଏପରିକି ବିପିଏଲକୁ ମଧ୍ୟ ବୟକଟ୍ କରିଥିଲେ ଏବଂ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଏପରି ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା । ଯାହା ପରେ ବିସିବି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ।