ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି ଋତୁ ପରେ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଅବସର ନେବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ବେଙ୍ଗଲ ପକ୍ଷରୁ ଖେଳିଥିବା ସାହା ନିଜ ରାଜ୍ୟ ଦଳର ପ୍ରତିନିଧିତ୍ୱ କରି ଅବସର ନେବେ ବୋଲି କହିଛନ୍ତି। ୪୦ ବର୍ଷୀୟ ସାହା ୨୦୧୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ୨୦୨୧ରୁ ସେ ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଛନ୍ତି। ଋଦ୍ଧିମାନ ସାହା ଆଇପିଏଲ୍ ୨୦୨୫ରେ ଭାଗ ନେବେ ନାହିଁ।
ବେଙ୍ଗଲ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିବା ରିଦ୍ଧିମାନ ସାହା ସୋସିଆଲ ମିଡିଆରେ ଅବସର ଘୋଷଣା କରିଛନ୍ତି। କ୍ରିକେଟରେ ଏକ ସୁନ୍ଦର ଯାତ୍ରା ପରେ ଏହି ଋତୁ ମୋର ଶେଷ ହେବ। ମୋତେ ବେଙ୍ଗଲକୁ ପ୍ରତିନିଧିତ୍ୱ କରିବାର ଗୌରବ ମିଳିଛି, ମୁଁ ଅବସର ନେବା ପୂର୍ବରୁ କେବଳ ରଣଜୀ ଟ୍ରଫି ଖେଳିବି। ଏହି ଅବିଶ୍ୱସନୀୟ ଯାତ୍ରାର ଅଂଶ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ। ଆସନ୍ତୁ ଏହି ଋତୁକୁ ସ୍ମରଣୀୟ କରିବା।
ଋଦ୍ଧିମାନ ସାହା ୨୦୦୭ ରୁ ବେଙ୍ଗଲ ପାଇଁ ଖେଳୁଛନ୍ତି। ୨୦୨୨ରେ ସେ ତ୍ରିପୁରା ଚାଲି ଆସିଥିଲେ। ଦୁଇ ବର୍ଷ ତ୍ରିପୁରାରୁ ପ୍ରତିନିଧିତ୍ବ କରିବା ପରେ ସେ ଶେଷ ଥର ପାଇଁ ୨୦୨୪ରେ ବେଙ୍ଗଲ ପକ୍ଷରୁ ଖେଳିବାକୁ ଫେରିଥିଲେ। ଚଳିତ ରଣଜୀ ଟ୍ରଫି ସିଜନର ତିନୋଟି ରାଉଣ୍ଡମଧ୍ୟରୁ ସେ ଦୁଇଟି ଖେଳିଛନ୍ତି। ପ୍ରଥମ ରାଉଣ୍ଡରେ ୟୁପି ବିପକ୍ଷ ମ୍ୟାଚ୍ରେ ସାହା ଶୂନ୍ୟରେ ଆଉଟ୍ ହୋଇଥିଲେ ଏବଂ ତୃତୀୟ ରାଉଣ୍ଡରେ କେରଳ ବିପକ୍ଷ ଦଳର ଏକମାତ୍ର ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଇନଥିଲେ।
ରିଦ୍ଧିମାନ ସାହା ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ନିଜ କ୍ୟାରିୟରରେ ସେ ୧୩୫୩ ରନ୍ କରିଛନ୍ତି। ଏଥିରେ ତିନୋଟି ଶତକ ମଧ୍ୟ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ୯ଟି ଦିନିକିଆରେ ତାଙ୍କ ବ୍ୟାଟ୍ରୁ ୪୧ ରନ୍ ବାହାରିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍ ବିଷୟରେ କହିବାକୁ ଗଲେ ସେ ଲିଷ୍ଟ-ଏ'ରେ ୧୩୮ ମ୍ୟାଚ୍ ଖେଳି ୭୦୧୩ ରନ୍ କରିଥିବା ବେଳେ ୧୧୬ ମ୍ୟାଚ୍ ରେ ୩୦୭୨ ରନ୍ କରିଛନ୍ତି। ସେ ୨୦୧୧ ଓ ୨୦୨୨ରେ ଆଇପିଏଲ୍ ମଧ୍ୟ ଜିତିଛନ୍ତି। ସାହା ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏ ଆଇପିଏଲ୍ ଫାଇନାଲରେ ଶତକ ହାସଲ କରିଛନ୍ତି। ୧୭୦ ଟି ଆଇପିଏଲ ମ୍ୟାଚରେ ସେ ୨୯୩୪ ରନ୍ କରିଛନ୍ତି।
ଅଧିକ ପଢ଼ନ୍ତୁ: ନ୍ୟୁଜିଲାଣ୍ଡ କ୍ଲିନ ସୁଇପ୍ ପରେ ରୋହିତଙ୍କ ବଡ଼ ବୟାନ