ମୁମ୍ବାଇ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ହାରି ସାରିଛି। ନ୍ୟୁଜିଲାଣ୍ଡ ଭାରତୀୟ ମାଟିରେ ୩-୦ରେ ସିରିଜ୍ ଜିତି ଇତିହାସ ରଚିଛି। ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳକୁ ଚାରି ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏହା ମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବୟାନ ସାମ୍ନାକୁ ଆସିଛି। ରୋହିତ ମୁମ୍ବାଇ ଟେଷ୍ଟ ପରେ କହିଛନ୍ତି, ଭାରତୀୟ ଦଳର ଏହି ଶୋଚନୀୟ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରୁଛି। ଆମର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଛି। ଏହା ମୋ କ୍ୟାରିୟରର ସବୁଠୁ ଖରାପ ପ୍ରଦର୍ଶନ। ଏହି ଲଜ୍ଜାଜନକ ପରାଜୟ ପାଇଁ ମୁଁ ପୂରା ଦାୟୀ। ଏହି ପରାଜୟକୁ ଭୁଲିବା ସହଜ ନୁହେଁ। ଟେଷ୍ଟ ସିରିଜ୍ ହାରିବା ସେତେ ସହଜ ନୁହେଁ।
ରୋହିତ କହିଛନ୍ତି, ଏହି ଧରଣର ପରାଜୟରୁ ମୁକୁଳିବା ପାଇଁ ସମୟ ଲାଗିଥାଏ। ଆମେ ପୂରା ସିରିଜରେ ବହୁତ ନିମ୍ନମାନର ପ୍ରଦର୍ଶନ କରିଛୁ। ମାତ୍ର ନ୍ୟୁଜିଲାଣ୍ଡ ଦମଦାର କ୍ରିକେଟ୍ ଖେଳିଛି। ଆମେ ପୂରା ସିରିଜରେ ବହୁତ ତ୍ରୁଟି କରିଛୁ। ପ୍ରଥମ ଦୁଇଟି ଟେଷ୍ଟର ପ୍ରଥମ ଇନିଂସରେ ଭଲ ସ୍କୋର କରିବାରେ ବିଫଳ ହେଲୁ, ଯାହାର ପରିଣାମ ଭୋଗିବାକୁ ପଡ଼ିଲା। ଯଦି ଆମେ ପ୍ରଥମ ଇନିଂସରେ ବଡ଼ ସ୍କୋର କରିବାରେ ସଫଳ ହୋଇ୍ଥାନ୍ତୁ ତେବେ ଫଳାଫଳ ବୋଧହୁଏ ଭିନ୍ନ ହୋଇଥାନ୍ତା।କିନ୍ତୁ ତୃତୀୟ ଟେଷ୍ଟରେ ଦଳକୁ ଅଗ୍ରଣୀ ମିଳିଥିଲା। କିନ୍ତୁ ଟାର୍ଗେଟ୍ ହାସଲ କରିବାରେ ଆମେ ବିଫଳ ହେଲୁ।
ଆମେ ଦଳଗତ ଭାବେ ସଂପୂର୍ଣ୍ଣ ଫେଲ୍ ମାରିଲୁ। ଏହି ଧରଣର ଟାର୍ଗେଟ୍ ପିଛା କରିବା ସମୟରେ ଆପଣଙ୍କୁ ରନ କରିବାକୁ ପଡ଼ିବ ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ, ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଭାରତକୁ ୨୫ ରନରେ ହରାଇ ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରି ଇତିହା ରଚିଛି। ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ ଦଳ ପ୍ରଥମ ଥର ଏମିତି ପରାଜୟ ଭୋଗିଛି।