କଟକ: ଆଉ କେଇ ଘଣ୍ଟା ପରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହୀଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳା ଯାଉଛି । ଏହି ମୁକାବିଲା କଟକର ଲାଲ ମାଟି ପିଚରେ ଖେଳାଯିବ । ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେଉ ଥିବାରୁ ଟସ୍ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କାରଣ କାକରର ପ୍ରଭାବ ମ୍ୟାଚରେ ଦେଖିବାକୁ ମିଳିବ ।
ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପିଚକୁ ନେଇ କହିଛନ୍ତି, ଲାଲ ମାଟିର ପିଚ୍ ଭଲ ବ୍ୟବହାର କରିବ । ଆଶା କରୁଛୁ ପିଚ୍ ଦ୍ରୁତ ରହିବା ସହ ଅଧିକ ସ୍କୋର ହେବ । କଳା ମାଟିର ପିଚ୍ ଖେଳି ଆସିଛୁ । ଦେଖିବା ଲାଲ ମାଟିର ପିଚ୍ କେମିତି ବ୍ୟବହାର କରୁଛି । ଉଲ୍ଲେଖନୀୟ ସାଧାରଣତଃ ଲାଲ ମାଟିର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବା ସହ ବ୍ୟାଟରଙ୍କ ପାଇଁ ଫାଇଦା ଦେଇଥାଏ । ହାଇସ୍କୋରିଂ ମୁକାବିଲା ପାଇଁ ପିଚ୍ ମଧ୍ୟ ସେମିତି ପ୍ରସ୍ତୁତ କରାଯାଇଛି ।
ଏହା ପୂର୍ବରୁ ବାରବାଟୀରେ ୩ଟି ଟି-୨୦ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ହାରିଥିବା ବେଳେ ଶ୍ରୀଲଙ୍କାଠୁ ଏକମାତ୍ର ବିଜୟ ହାସଲ କରିଛି । ଅର୍ଥାତ ବାରବାଟୀରେ ଦକ୍ଷିଣ ଆଫ୍ରିକାର ରେକର୍ଡ ଭଲ ରହିଛି । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ମୁକାବିଲାକୁ ଭାରତ ୯୩ ରନରେ ଜିତିଥିଲା । ଏହି ଗ୍ରାଉଣ୍ଡରେ ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର ହେଉଛି ୧୮୦ ରନ । ଶ୍ରୀଲଙ୍କା ବିପକ୍ଷରେ ହିଁ ଭାରତ ଏହି ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲଆଉଟ୍ ହୋଇଥିଲା ।
ଏହି ମୁକାବିଲାରେ ଟସ୍ ବହୁତ ବଡ ଭୂମିକା ଗ୍ରହଣ କରିବ । ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବେ । କାରଣ ଦ୍ୱିତୀୟ ଇନିଂସରେ କାକରର ପ୍ରଭାବ ରହିର । ଏଥିପାଇଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହେବ । ପିଚ୍ ଲାଲ ମାଟିର ହୋଇଥିବାରୁ ଦ୍ରୁତ ବୋଲରଙ୍କୁ ଆରମ୍ଭରୁ କିଛିଟା ସହାୟତା ମିଳିପାରେ । କିନ୍ତୁ ହାଇସ୍କୋରିଂ ମୁକାବିଲା ହେବାର ଆଶା ରହିଛି ।
ବାରବାଟୀ ପିଚ୍ ଟି-୨୦ ଦୃଷ୍ଟିରୁ ବ୍ୟାଟିଂ ଅନୁକୂଳ ଥିବା ଜଣା ପଡିଛି । ତେଣୁ ଆଜି ପ୍ରଥମ ଥର ୨୦୦ ସ୍କୋର ହୋଇପାରେ । ତେଣୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ଠିକ୍ ରହିପାରେ । ଯଦି ପ୍ରଥମେ ବ୍ୟାଟିଂ କରିଥିବା ଦଳ ଯଦି ୨୦୦ ସ୍କୋର କରି ଦିଏ ତେବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳକୁ ଏହି ଲକ୍ଷ୍ୟ ମୁସ୍କିଲ ହୋଇପାରେ ।