ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ନଭେମ୍ବର ୧ ତାରିଖରୁ ମୁମ୍ବାଇରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ସିରିଜ ଜିତିବା ସହ ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ ରହିଛି । ଏବେ ଶେଷ ଟେଷ୍ଟ ଭାରତ ପାଇଁ ସମ୍ମାନର ବିଷୟ ପାଲଟିଛି । ଏହି ଟେଷ୍ଟକୁ ନେଇ ଭାରତର ପୂର୍ବତନ କୋଚ୍ କୋଚ୍ ଜନ ରାଇଟ୍ କହିଛନ୍ତି ଏହି ଟେଷ୍ଟ ବିରାଟ କୋହଲି, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଶେଷ ଘରୋଇ ଟେଷ୍ଟ ହୋଇପାରେ ।
ଜନ ରାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମୁମ୍ବାଇରେ ଖେଳା ଯିବାକୁ ଥିବା ମ୍ୟାଚ୍ ସମସ୍ତ ବରିଷ୍ଠ ଖେଳାଳିଙ୍କ ଏକାଠି ହୋଇ ଟେଷ୍ଟ ଖେଳିବାର ଶେଷ ଘରୋଇ ଟେଷ୍ଟ ମ୍ୟାଚ୍ ହୋଇପାରେ । ଜନ ରାଇଟଙ୍କ ଏହି କଥାରୁ ସ୍ପଷ୍ଟ ଲାଗୁଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପରେ କୌଣସି ନା କୌଣସି ସିନିୟର ଖେଳାଳିଙ୍କ ଦଳରୁ ଛୁଟି ହେବାକୁ ଯାଉଛି । ଲାଗୁଛି ମୁମ୍ବାଇରେ ରୋହିତ, କୋହଲି, ଅଶ୍ୱିନ ଓ ଜାଡେଜା ଏକତ୍ର ଶେଷ ଟେଷ୍ଟ ଖେଳି ପାରନ୍ତି । ପରେ ଏହି ବରିଷ୍ଠ ଖେଳାଳିଙ୍କୁ ଆଉ ଗୋଟିଏ ମ୍ୟାଚରେ ଏକାଠି ଦେଖିବାକୁ ମିଳି ନ ପାରେ ।
ସୂଚନାଯୋଗ୍ୟ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୀର୍ଘ ୩୬ ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିଛି । ଏଥିସହ ୧୨ ବର୍ଷ ଧରି ଘରୋଇ ମାଟିରେ ଚାଲି ଆସିଥିବା ବିଜୟରେ ପୂର୍ଣ୍ଣଛେଦ ପଡିଛି । ଭାରତୀୟ ଦଳ ୨୦୧୨ରେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ହାରିଥିଲା । ଏହା ପରେ ୨୦୧୨ରୁ ୨୦୨୪ ପର୍ଯ୍ୟନ୍ତ ଦଳ ଲଗାତାର ୧୮ ଘରୋଇ ଟେଷ୍ଟ ସିରିଜ୍ ଜିତିଥିଲା । ହେଲେ ନ୍ୟୁଜିଲାଣ୍ଡ ଭାରତର ଏହି ବିଜୟ ରଥ ଉପରେ ବ୍ରେକ ଲଗାଇଛି ।