ରାୟପୁର: ରାଞ୍ଚି ପରେ ରାୟପୁରରେ ଗର୍ଜିଲା ବିରାଟ କୋହଲିଙ୍କ ବ୍ୟାଟ୍। ହାସଲ କଲେ ବ୍ୟାକ ଟୁ ବ୍ୟାକ୍ ଶତକ। ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ କୋହଲିଙ୍କ ଏହା ୫୩ତମ ଶତକ। ଦ୍ଵିତୀୟ ଦିନିକିଆରେ କୋହଲି ୯୦ ବଲରୁ ଶତକ ପୂରଣ କରିଛନ୍ତି। କୋହଲି କ୍ରମାଗତ ତୃତୀୟ ମ୍ୟାଚ୍ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି, ଏବଂ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ।
୯୩ ବଲରୁ ୧୦୨ ରନର ଶତକୀୟ ଇନିଂସ ଖେଳିଛନ୍ତି। ସେ ଋତୁରାଜଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୧୯୫ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଛନ୍ତି। ଏହା ପୂର୍ବରୁ ରାଞ୍ଚିରେ କୋହଲି ୧୨୦ ବଲରୁ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ମ୍ୟାଚକୁ ୧୭ ରନରେ ଜିତିବାରେ ସଫଳ ହୋଇଥିଲା।
ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଯିଏ ୧୧ ଥର ଦିନିକିଆ କ୍ରିକେଟରେ ଦୁଇଟି ଇନିଂସରେ କ୍ରମାଗତ ଶତକ ହାସଲ କରିଛନ୍ତି। କ୍ରମାଗତ ଦିନିକିଆରେ ଶତକ ତାଲିକାରେ ବିରାଟଙ୍କ ପରେ ଏବି ଡିଭିଲିୟର୍ସ ଅଛନ୍ତି, ଯିଏ ଏପରି ୬ ଥର କରିଛନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ ଗତ ତିନୋଟି ଇନିଂସରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ପୂର୍ବ ତିନୋଟି ଦିନିକିଆ ଇନିଂସରେ ଶତକ ହାସଲ କରିଛନ୍ତି। ପୂର୍ବରୁ, ସେ ୨୦୨୩ ଦିନିକିଆ ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୦୧ ରନ କରିଥିଲେ।
ବିରାଟ କୋହଲି ଦିନିକିଆରେ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ ଇନିଂସରେ ୧୭୪୧ ରନ କରିଛନ୍ତି। ଏହି ସମୟରେ ସେ ୭ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଦିନିକିଆ ରନ କରିଥିବା ବ୍ୟାଟର ହେବାର ଉପଲବ୍ଧି ହାସଲ କରିଛନ୍ତି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଡେଭିଡ୍ ୱାର୍ଣ୍ଣର, ଯିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚରେ ୧୨୫୫ ରନ କରିଥିଲେ।