ନୂଆଦିଲ୍ଲୀ: ଦଲୀପ ଟ୍ରଫି ୨୦୨୪ରେ ଶନିବାର ଅଲରାଉଣ୍ଡର ତିଳକ ବର୍ମା, ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ଓ ପ୍ରଥମ ସିଂହଙ୍କ ଧମାକା ଦେଖିବାକୁ ମିଳିଛି । ତିନି ଖେଳାଳି ଦଲୀପ ଟ୍ରଫିର ଦ୍ୱିତୀୟ ରାଉଣ୍ଡର ତୃତୀୟ ଦିନରେ ଶତକ ହାସଲ କରିଛନ୍ତି । ଇଣ୍ଡିଆ ଏର ଖେଳାଳି ତିଳକ ବର୍ମା ଦ୍ୱିତୀୟ ଇନିଂସରେ ଇଣ୍ଡିଆ ଡି ବୋଲରଙ୍କ ଧୁଲେଇ କରିଛନ୍ତି । ସେ ତୃତୀୟ କ୍ରମରେ ବ୍ୟାଟିଂ କରିବାକୁ ଆସି ୧୭୭ ବଲରେ ଶତକ ଅର୍ଜନ କରିଛନ୍ତି । ଏଥିରେ ୯ ଚୌକା ସାମିଲ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତିଳକଙ୍କ ପଞ୍ଚମ ଶତକ । ତିଳକ ଭାରତ ପାଇଁ ୪ ଦିନିକିଆ ଓ ୧୬ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଖେଳିଛନ୍ତି ।
ତିଳକଙ୍କ ପୂର୍ବରୁ ଇଣ୍ଡିଆ ଏ ପାଇଁ ତୃତୀୟ ଦିନରେ ଓପନର ପ୍ରଥମ ସିଂ ଶତକ ହାସଲ କରିଛନ୍ତି । ରେଳବାଇ ବାମହାତୀ ବ୍ୟାଟର ପ୍ରଥମ ସିଂ ୧୮୯ ବଲରୁ ୧୨ ଚୌକା ଓ ଏକ ଛକା ସହ ୧୨୨ ରର ଦମଦାର ଇନିଂସ ଖେଳିଛନ୍ତି । ୩୨ ବର୍ଷୀୟ ପ୍ରଥମ ଦଲୀପ ଟ୍ରଫିରେ ପ୍ରଥମ ଥର ଶତକ ଅର୍ଜନ କରିଛନ୍ତି । ସେ ତିଳକଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୦୪ ରନର ଭାଗିଦାରୀ କରିଛନ୍ତି । ପ୍ରଥମ ସିଂ ପ୍ରଥମ ଇନିଂସରେ ୭ ଓ ତିଳକ ୧୦ ରନ କରିଥିଲେ ।
ଅନ୍ୟପଟେ ଇଣ୍ଡିଆ ବିର ଅଧିନାୟକ ତଥା ଓପନର ଅଭିମନ୍ୟୁ ଈଶ୍ୱରନ ଇଣ୍ଡିଆ ସି ବିପକ୍ଷ ପ୍ରଥମ ଇନିଂସରେ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି । ସେ ମୁସ୍କିଲ ସ୍ଥିତିରେ ଶତକ ହାସଲ କରି ୧୧୯ ରନରେ ଅପରାଜିତ ଅଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ୨୪ତମ ଶତକ । ଏହା ପୂର୍ବରୁ ଇଣ୍ଡିଆ ସି ପ୍ରଥମ ଇନିଂସରେ ୫୨୫ ରନର ବିଶାଳ ସ୍କୋର କରିଛି ।