ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଆଜି ପ୍ରଥମ ଦିନିକିଆ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଷ୍ଟାର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆହତ ହୋଇ ପୂରା ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ରବିବାର ଏହାର ସୂଚନା ଦେଇଛି । ଏହା ସହ ଋଷଭ ପନ୍ତଙ୍କ ବଦଳ ଖେଳାଳି ଘୋଷଣା କରାଯାଇଛି । ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନ କି ଇଶାନ କିଶନ ନୁହେଁ ବିଜୟ ହଜାରେ ଟ୍ରଫି ଧମାଲ କରିଥିବା ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି ।
ଋଷଭ ପନ୍ତଙ୍କ ଆହତର ସୂଚନା ଦେଇ ବିସିସିଆଇ କହିଛି, ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଶନିବାର ଅପରାହ୍ଣରେ ଭଦୋଦରା ଷ୍ଟାଡିୟମରେ ଅଭ୍ୟାସ ସମୟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତାଙ୍କ ପେଟର ଡାହାଣ ପାଶ୍ୱର୍ର ନିମ୍ନ ଭାଗରେ ଯନ୍ତ୍ରଣା ହୋଇଛି । ତୁରନ୍ତ ତାଙ୍କର ଏମଆରଆଇ ସ୍କାନ କରାଯାଇଛି । ତାଙ୍କର କ୍ଲିନିକଲ ଓ ରେଡିଓଲୋଜି ରିପୋର୍ଟ ଉପରେ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ତାଙ୍କର ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ପନ୍ତଙ୍କୁ ଦିନିକିଆ ସିରିଜରୁ ବାଦ୍ ଦିଆଯାଇଛି ।
ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି । ଜୁରେଲ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ଜୁରେଲ ଭାରତ ପାଇଁ ଟେଷ୍ଟ ଓ ଦିନିକିଆରେ ପଦାର୍ପଣ କରି ସାରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ତାଙ୍କୁ ଦିନିକିଆରେ ସୁଯୋଗ ମିଳିନି । ଲିଷ୍ଟ –ଏରେ ଜୁରେଲ ୧୭ଟି ମ୍ୟାଚ୍ ଖେଳି ୭୪.୭୦ ହାରରେ ୭୪୭ ରନ କରିଛନ୍ତି । ଏଥିରେ ଦୁଇଟି ଶତକ ସାମିଲ୍ । ବିଜୟ ହଜାରେ ଟ୍ରଫିରେ ତାଙ୍କ ବ୍ୟାଟ ଗର୍ଜୁଛି ।