ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ଏଥିପାଇଁ ଟିମ୍ ଇଣ୍ଡିଆ ଲଣ୍ଡନରେ ପହଞ୍ଚି ଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଦଳର ଲଣ୍ଡନ ପହଞ୍ଚିବାର ଭିଡିଓ ପୋଷ୍ଟ କରିଛି ।
ବିସିସିଆଇ ପୋଷ୍ଟର କ୍ୟାପସନରେ ଲେଖିଛି ଯେ, “ୟୁକେ ପହଞ୍ଚିଗଲୁ । ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ପହଞ୍ଚି ଯାଇଛ”ି । ବିସିସିଆଇ ପୋଷ୍ଟ କରିଥିବା ଭିଡିଓରେ ୟୁକେ ପହଞ୍ଚିଥିବା ଭାରତୀୟ ଦଳ ବେଶ କୁଲ ଥିବା ଦେଖାଯାଉଛନ୍ତି । ଇଂଲଣ୍ଡର ଲମ୍ବା ଗସ୍ତ ପାଇଁ ଦଳ ପ୍ରସ୍ତୁତ ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ନୂଆ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ସେ କହିଥିଲେ ଯେ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତି ଦଳରେ ବେଶ ଅନୁଭୂତ ହେବ । ଉଭୟଙ୍କ ବିନା ଖେଳିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ ।
ସେ କହିଛନ୍ତି, ରୋହିତ ଓ ବିରାଟ ବହୁତ ଅନୁଭବୀ ଖେଳାଳି ଏବଂ ତାଙ୍କ ସ୍ଥାନ ନେବା ବହୁତ ମୁସ୍କିଲ । ଏବେ ଦଳ ଭାବେ ଆମ ପାଖରେ ବହୁତ ଅନୁଭବ ରହିଛି । ଆମେ ବହୁତ ମ୍ୟାଚ୍ ଖେଳି ସାରିଛୁ । ଖେଳାଳି ଓ ଦଳ ଚାପରେ ଖେଳିବା ଅଭ୍ୟସ୍ତ ହୋଇ ସାରିଛନ୍ତି । ଆମ ଦଳରେ ବ୍ୟାଟିଂ ଓ ବୋଲିଂର ଏକ ଉତ୍ତମ ସମନ୍ୱୟ ରହିଛି ।
ତେବେ ଅଧିନାୟକ ଗିଲ୍ ଏହା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି ଯେ, କେଉଁ କ୍ରମରେ କିଏ ବ୍ୟାଟିଂ କରିବ । ସେ ଗତ ଗସ୍ତରେ ଓପନିଂ ବ୍ୟତୀତ ନମ୍ବର୩ରେ ମଧ୍ୟ ବ୍ୟାଟିଂ କରିଛନ୍ତି । ମାତ୍ର ରୋହିତଙ୍କ ଅନୁପସ୍ଥିତି କାରଣରୁ ଏବେ ଦଳ ପ୍ରବନ୍ଧକଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ, ଓପନିଂରେ କିଏ ବ୍ୟାଟିଂ କରିବ । ଯଶସ୍ୱୀ ଜୟସ୍ୱାଲ ଓପନିଂ କରିବା ନିଶ୍ଚିତ । ତେବେ ତାଙ୍କ ସହ କିଏ ଖେଳିବ ତାକୁ ନେଇ ଦଳ ପ୍ରବନ୍ଧକଙ୍କୁ ଚିନ୍ତା କରିବାକୁ ପଡିବ ।